ଶୀତ ଋତୁ ଆରମ୍ଭ ହେଲେ ବାୟୁ ପ୍ରଦୂଷଣ ହେବାକୁ ଲାଗେ। ଦେଶରେ ସବୁଠାରୁ ପ୍ରଦୂଷିତ ସହର ହେଉଛି ଦିଲ୍ଲୀ। ତେବେ ଓଡ଼ିଶା ମଧ୍ୟ ଏହି ତାଲିକାରୁ ବାଦ ପଡିନାହିଁ। କାରଣ ଅନୁଗୁଳ ସହରରେ ପ୍ରଦୂଷଣ ସ୍ତର ଭୟଙ୍କର ସ୍ଥିତିକୁ ଯାଇଛି। ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁର ଗୁଣବତ୍ତା ୩୪୦କୁ ବଢ଼ିଯାଇଛି। ମଙ୍ଗଳବାର ଏହା ଦେଶର ଷଷ୍ଠ ପ୍ରଦୂଷିତ ସହର ପାଲଟିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ପ୍ରଦୂଷଣ ବଳୟ ମଧ୍ୟ ସୃଷ୍ଟି ହୋଇଛି। ଆକାଶ ଧୂଆଁଳିଆ ହେବା ସହ ଏକ୍ୟୁଆଇ ଅତି ନିମ୍ନସ୍ତରକୁ ଖସିଛି।
ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ପ୍ରଦୂଷଣ ମାତ୍ରା ଚିନ୍ତାଜନକ ସ୍ଥିତିକୁ ଯାଇଛି। କଟକରେ ଏକ୍ୟୁଆଇ ୩୩୨, ଭୁବନେଶ୍ୱରରେ ୩୨୧ ରହିଛି। ଅନୁଗୁଳ ପରେ ଏହି ଦୁଇ ସହର ରାଜ୍ୟର ସର୍ବାଧିକ ପ୍ରଦୂଷିତ ସହର ପାଲଟିଛନ୍ତି। ପ୍ରଦୂଷଣ ବଢ଼ିବା ଯୋଗୁଁ ରାଜଧାନୀରେ ଦିନ ବେଳା କୁହୁଡ଼ି ଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଆକାଶ ଧୂଆଁଳିଆ ହୋଇଥିଲା ଏବଂ ଦୃଶ୍ୟମାନ ଦୂରତା କମିଯାଇଥିଲା। କିଛି ମିଟର ଆଗରେ ଥିବା ଗାଡ଼ି ବା କୋଠାକୁ ଦେଖିବା ସମ୍ଭବ ହୋଇନଥିଲା। ଏଭଳି ପ୍ରଦୂଷଣକୁ ଦେଖି କିଛି ଲୋକ ମାସ୍କ ପିନ୍ଧି ଯାତାୟାତ କରୁଥିବା ଦେଖିବାକୁ ମିଳିଥିଲା।
ଅନ୍ୟପଟେ ପ୍ରଦୂଷଣ ଅସହ୍ୟ ହେବାରୁ ଦେଶର ରାଜଧାନୀ ଦିଲ୍ଲୀରେ ୱାର୍କ ଫ୍ରମ୍ ହୋମ୍ ଚାଲିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ର ତଥ୍ୟ ଅନୁସାରେ, ମଙ୍ଗଳବାର ଉତ୍ତର ପ୍ରଦେଶର ହାପୁର ସହର ସବୁଠୁ ପ୍ରଦୂଷିତ ସହର ପାଲଟିଥିଲା। ନଏଡା, ଗ୍ରେଟର ନଏଡା ଓ ଦିଲ୍ଲୀରେ ମଧ୍ୟ ପ୍ରଦୂଷଣ ଅତି ଭୟଙ୍କର ସ୍ତରକୁ ଚାଲିଯାଇଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରଦୂଷଣ ସ୍ଥିତି ମଧ୍ୟ ଉଦବେଗଜନକ ରହିଛି। ଶିଳ୍ପସମୃଦ୍ଧ ଓ ଖଣିଜ ସମ୍ପଦରେ ଭରପୂର ଅନୁଗୁଳ ଜିଲ୍ଲାର ଆକାଶରେ ଏବେ ବିଷାକ୍ତ ପ୍ରଦୂଷଣ କଣିକା ବୁଲୁଛି। ଏଠାରେ ଏକ୍ୟୁଆଇ ୩୪୦କୁ ବଢ଼ିବା ସହିତ ବାୟୁର ମାନ ଅତି ନିମ୍ନସ୍ତରକୁ ଖସିଛି। ଏହି ପ୍ରଦୂଷିତ ବାୟୁର ସଂସ୍ପର୍ଶରେ ଅଧିକ ସମୟ ଆସିଲେ ଏହା ଶ୍ୱାସକ୍ରିୟା ଜନିତ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ସିପିସିବି ଚେତାଇ ଦେଇଛି।
ଅଧିକ ପଢନ୍ତୁ: ଦିଲ୍ଲୀ ଏବଂ ହରିୟାଣାରେ ଇଥିଓପିଆ ଜ୍ୱାଳାମୁଖୀରୁ ପାଉଁଶ, ଅନେକ ବିମାନ ବାତିଲ