ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ। ଆଜି ବସିବ ସର୍ବଦୈଳୀୟ ବୈଠକ। ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧୀ। ଗୃହ କାର୍ଯ୍ୟ ସୁରୁଖୁରରେ ଚଳାଇବା ପାଇଁ ସହଯୋଗ ଲୋଡିବେ ବାଚସ୍ପତି। ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସି ବିଧାନସଭାରେ ଉଦବୋଧନ ଦେବେ ମହାମହିମ। ଅପରାହ୍ନରେ ଉଦବୋଧନ ଦେବେ ରାଷ୍ଟ୍ରପତି।
ପ୍ରଥମଥର ପାଇଁ ଓଡିଶା ବିଧାନସଭା ଇତିହାସରେ ଗୃହକୁ ଉଦବୋଧନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ନଭେମ୍ବର ୨୭ରୁ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ ବିଧାନସଭା ଶୀତ ଅଧିବେଶନ। ନୂଆ ସରକାର କ୍ଷମତାକୁ ଆସିବା ପରେ ଚତୁର୍ଥ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଦେଖିବାକୁ ଗଲେ ଏହି ଶୀତ ଅଧିବେଶନରେ ଶାସକ ବିଜେପିକୁ ବିରୋଧୀ ବିଜେଡିକୁ ଘେରିବାକୁ ଉଦ୍ୟମ କରିବ। ଏହି କ୍ଷେତ୍ରରେ କଂଗ୍ରେସର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ। କଂଗ୍ରେସ ଓ ବିଜେଡି ରଣନୀତି ପ୍ରସ୍ତୁତି କରିଥିବା ବେଳେ ସରକାର ମଧ୍ୟ ଦେଢ଼ ବର୍ଷରୁ ଅଧିକ ଅନୁଭୂତି ଏବଂ ବାସ୍ତବ ରୂପାୟନକୁ ନେଇ ବିରୋଧୀଙ୍କୁ ସାମ୍ନା କରିବାକୁ ଯୋଜନା କରିଛନ୍ତି।
ରାଜ୍ୟରେ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବାର ପ୍ରାୟ ଦେଢ଼ ବର୍ଷରୁ ଅଧିକ ହେବ। ସରକାରୀ ଯୋଜନାର ବାସ୍ତବ ରୂପାୟନ ଏବଂ ସର୍ବୋପରି ମୋହନ ସରକାରକୁ ପ୍ରଥମକରି ସାମ୍ନା କରିବାକୁ ପଡିଥିବା ନୂଆପଡା ଉପନିର୍ବାଚନରେ ଅଦ୍ଭୂତପୂର୍ବ ସଫଳତା ଏବେ ସରକାରଙ୍କ ସଫଳତାର କାହାଣୀ ହେବାକୁ ଯାଉଛି। ଦେଢ଼ ବର୍ଷ ପରେ ରାଜ୍ୟ ସରକାର ଓଡି଼ଶାବାସୀଙ୍କ ଜନାଦୃତ ହୋଇ ପାରିଛନ୍ତି ଏବଂ ଓଡିଶାବାସୀଙ୍କ ସୁଖ ଦୁଃଖର ଭାଗୀ ହୋଇଛନ୍ତି ବୋଲି ଦାବି କରିଛି ଶାସକ ବିଜେପି। ସେହିପରି ବିରୋଧୀ ବିଜେଡି ଏବଂ କଂଗ୍ରେସ ଶାସକ ବିଜେପିକୁ ଅନେକ ପ୍ରସଙ୍ଗରେ ଘେରିବାକୁ ଯୋଜନା କରୁଛନ୍ତି।
ଏହି ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ମଧ୍ୟ ରଖିବେ, ଯାହା ଓଡ଼ିଶାର ବିଧାନସଭା ଇତିହାସରେ ଏକ ଐତିହାସିକ ପ୍ରଥମ ଘଟଣା ହେବ। ସରକାର ନଭେମ୍ବର ୨୮ ରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବାକୁ ଯୋଜନା କରିଛନ୍ତି, ତା’ପରେ ବିତର୍କ ଏବଂ ଆଲୋଚନା ହେବ।
ଅଧିକ ପଢନ୍ତୁ: ଆଜି ସଂସଦରେ ଆୟୋଜନ ହେବ ଭବ୍ୟ ସମାରୋହ, ଅଧ୍ୟକ୍ଷତା କରିବେ ରାଷ୍ଟ୍ରପତି