ପୁଣି ମାଓବାଦୀଙ୍କ ଆତ୍ମସମର୍ପଣ। ଛତିଶଗଡ ନାରାୟଣପୁର ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨୮ ମାଓବାଦୀ। ଛତିଶଗଡ଼ ସରକାରଙ୍କ ନୂତନ ନକ୍ସଲ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ, ୨୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବସ୍ତରର ନକ୍ସଲ ପ୍ରଭାବିତ ଦଣ୍ଡକାରଣ୍ୟ ଅଞ୍ଚଳରେ ସକ୍ରିୟ ମାଓବାଦୀମାନେ ସମ୍ବିଧାନ ପ୍ରତି ସେମାନଙ୍କର ବିଶ୍ୱାସ ପ୍ରକାଶ କରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ନିକଟରେ INSAS ରାଇଫଲ୍, ଏକ SLR ଏବଂ ଏକ .303 ରାଇଫଲ୍ ସମେତ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ଥିଲା।
ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟି (DSZC)ର ସକ୍ରିୟ ସଦସ୍ୟ ଥିଲେ। ବସ୍ତର ଆଇଜି ପି.ସୁନ୍ଦର ରାଜଙ୍କ ସମ୍ମୁଖରେ ସେମାନେ ସରେଣ୍ଡର କରିଛନ୍ତି । ସେମାନଙ୍କ ମଧ୍ୟରେ ୧୯ଜଣ ମହିଳା ମାଓବାଦୀ ରହିଛନ୍ତି । ସମସ୍ତଙ୍କ ନାଁରେ ୮୯ ଲକ୍ଷ ଟଙ୍କାର ପୁରସ୍କାର ଥିଲା।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି କୁହାଯାଇଛି। ଗତ ୫୦ଦିନ ମଧ୍ୟରେ ନାରାୟଣପୁର ଜିଲ୍ଲାରେ ୫୧୨ ଜଣ ନକ୍ସଲ ମୁଖ୍ୟ ସ୍ରୋତରେ ସାମିଲ ହେଲେଣି। ବାକି ସମସ୍ତ ନକ୍ସଲ ଆତ୍ମସର୍ପଣ କରନ୍ତୁ ବୋଲି କହିଛନ୍ତି ଆଇଜି ସୁନ୍ଦର ରାଜ୍ ।
ଅଧିକ ପଢନ୍ତୁ: ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ଓଡ଼ିଶା ହାଇକୋର୍ଟ