ଜଗତସିଂହପୁର: ଜଗତସିଂହପୁରରେ ବାଲି ମାଫିଆଙ୍କ ନିଦ ହଜାଇ ଦେଇଛି ଜିଲ୍ଲା ପ୍ରଶାସନ । ବାଲିପାଟଣାର କିଲିପାଳ ମହାନଦୀ ପଠା ବାଲିଘାଟରୁ ଜିଲ୍ଲା କରିଛି ଅତର୍କିତ ଚଢ଼ଉ । ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ବେଆଇନ ବାଲି ବୋଝେଇ ହାଇୱାକୁ ଜବତ କରାଯାଇଥିବାବେଳେ ୬ ଜଣ ହାଇୱା ଚାଳକ ଗିରଫ ହୋଇଛନ୍ତି ।
କେନ୍ଦ୍ରାଞ୍ଚଳ ଡିଆଇଜି, ଜିଲାପାଳ ଓ ଏସ୍ପିଙ୍କ ଉପସ୍ଥିତିରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯାଇ ସବିଶେଷ ସୂଚନା ପ୍ରଦାନ କରାଯାଇଛି । କିଲିପାଳ ଘାଟ ଟେଣ୍ଡର ନେଇଥିବା ଠିକାଦାର ସରକାରୀ ନିୟମକୁ ଉଲଂଘନ କରି ବେଆଇନ ଭାବରେ ନିର୍ଦ୍ଧାରିତ ସ୍ତରଠାରୁ ଅଧିକ ପରିମାଣର ବାଲି ଉଠାଉ ଥିବାର ଅଭିଯୋଗ ହେଉଥିଲା । ଏହା ପରେ ଆରମ୍ଭ ହୋଇଥିଲା ସରକାରୀ କାର୍ଯ୍ୟାନୁଷ୍ଠାନ “ଅପରେସନ ବାଲୁବଜ୍ର” । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କିଲିପାଳ ବାଲିଘାଟରେ ଚଢ଼ଉ ହୋଇଥିଲେ । ଖୋଦ ଜିଲ୍ଲାପାଳ ଜେ ସୋନଲ୍ ଓ ଏସପି ଅଙ୍କିତ ବର୍ମା ଉପସ୍ଥିତ ରହି କରିଥିଲେ ବଡ଼ ଧରଣର ଚଢ଼ଉ ।ଅଚାନକ ମିଳିତ ଚଢ଼ାଉରେ ୫୦ରୁ ଉର୍ଦ୍ଧ ବେଆଇନ ବାଲି ବୋଝେଇ ହାଇୱା ଓ ୩ ଟି ପ୍ରକ୍ଲିନ ମେସିନ ଜବତ କରିଛନ୍ତି । ଏଥି ସହିତ ୬ ଜଣ ହାଇୱା ଚାଳକ ଗିରଫ ହୋଇଥିବା ବେଳେ ଗୋଟିଏ ମୋବାଇଲ ଜବତ କରାଯାଇଛି । ବାଲି ବୋଝେଇ ହାଇୱା ଗୁଡିକ ଏବେ ମଧ୍ୟ ବାଲି ଘାଟରେ ଅଟକି ରହିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୃତୟନ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହୋଇଥିବା ଚଢ଼ାଉର ଧାରା ଜାରି ରହିବ ଓ ମୁଠାଏ ବାଲି ମଧ୍ୟ ଚୋରା ଚାଲାଣ କରିବାକୁ ଦିଆଯିବ ନାହିଁ ବୋଲି ଡ଼ିଆଇଜି କହିଛନ୍ତି । ଚଢ଼ାଉ ହୋଇଥିବା ବାଲିଘାଟରୁ ବାର୍ଷିକ ୧୫ କୋଟି ଟଙ୍କା ରାଜସ୍ଵ ହାନି ହେଉଥିବାର ସେ କହିଛନ୍ତି । ଖଣି ବିଭାଗ ସଠିକ ଭାବରେ ଜିଲ୍ଲାରେ କାମ କରୁନାହିଁ ବୋଲି ଜିଲ୍ଲାପାଳ କହିବା ସହ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କତ୍ତୃପକ୍ଷଙ୍କୁ ଚିଠି ଲେଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।