ପୁରୀ: ବହୁ ପ୍ରତୀକ୍ଷା ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବାକୁ ଯାଉଛି ପୁରୀ ଗୁଣ୍ଡିଚା ମନ୍ଦିର । ଆସନ୍ତା ଡିସେମ୍ବର ପହିଲାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର । ପରୀକ୍ଷାମୂଳକ ଭାବେ ଟିକେଟ୍ ଦର୍ଶନ ବ୍ୟବସ୍ଥା କରାଯିବ । ଜଣେ ଭକ୍ତ ପିଛା ପ୍ରବେଶ ମୂଲ୍ୟ ୧୦ ଟଙ୍କା ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।
ମୁଖ୍ୟ ପ୍ରଶାସକଙ୍କ ମୁତାବକ ଏସଓପି ଅନୁସାରେ ପ୍ରତିଦିନ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ଖୋଲିବ । ଏହାପରେ ଏକ ଘଣ୍ଟା ପର୍ଯ୍ୟନ୍ତ ମନ୍ଦିର ଶୌଧ କରାଯିବ । କେବଳ ଶୀତ ଦିନରେ ଅର୍ଥାତ ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ସକାଳ ୬ରୁ ସଂଧ୍ୟା ୫ଟା ଯାଏଁ ଦର୍ଶନ ହେବ । ଅନ୍ୟ ଦିନମାନଙ୍କରେ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ । ସେହିପରି ରଥଯାତ୍ରା ବେଳେ ଅନେକ ନୀତିକାନ୍ତି ରହୁଥିବାରୁ ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ବାହୁଡ଼ା ଯାତ୍ରା ଯାଏ ମନ୍ଦିରରେ ପ୍ରବେଶ ବନ୍ଦ ରହିବ । ଆଡ଼ପ ମଣ୍ଡପ ଦର୍ଶନ ପାଇଁ ସିଂହଦ୍ୱାରରେ ଉଭୟ ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ । ଶ୍ରଦ୍ଧାଳୁମାନେ ସିଂହଦ୍ୱାରରେ ପ୍ରବେଶ କରି କଳାହାଟ ପର୍ଯ୍ୟନ୍ତ ଯିବେ । ଏହା ପରେ ଦର୍ଶନ ସାରି ପୁନଶ୍ଚ ସେହି ଦ୍ୱାର ଦେଇ ପ୍ରସ୍ଥାନ କରିବେ ।
ସେହିପରି ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରଥମେ ପରୀକ୍ଷାମୂଳକ ଭାବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଟିକେଟ୍ ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ । ଜଣେ ଭକ୍ତଙ୍କ ପିଛା ଟିକେଟ୍ ମୂଲ୍ୟ ୧୦ ଟଙ୍କା ରହିବ । ଶିଶୁ, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଦେୟମୁକ୍ତ ଦର୍ଶନ ବ୍ୟବସ୍ଥା ରହିବ । ୫ ବର୍ଷରୁ କମ୍, ୮୦ ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗଙ୍କ ବ୍ୟକ୍ତି ପାଇଁ କୌଣସି ଦେୟ ରହିବା ନାହିଁ ।
ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ମାଗଣା ଚପଲ, ଜୋତା ଓ ମୋବାଇଲ୍ ଷ୍ଟାଣ୍ଡ କରାଯିବ । ଯେଉଁଠି ଭକ୍ତମାନେ ନିଜର ଚପଲ ଏବଂ ମୋବାଇଲ ରଖି ଦର୍ଶନ କରିବାକୁ ଯାଇପାରିବେ । ଏହା ସହିତ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ପାଢ଼ୀ ।
ସେହିପରି ଭକ୍ତଙ୍କୁ ମନ୍ଦିର ଦର୍ଶନରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ମନ୍ଦିର ନିକଟରୁ ଜବରଦଖଲ ହଟାଯାଇଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ମଧ୍ୟ କରାଯାଉଛି । କୋଭିଡ୍ ପରଠାରୁ ଦୀର୍ଘ ଛଅ ବର୍ଷ ହେବ ଗୁଣ୍ଡିଚା ମନ୍ଦିର ବନ୍ଦ ରହିଥିଲା । ଫଳରେ ଶ୍ରଦ୍ଧାଳୁମାନେ ବାହାରୁ ଦର୍ଶନ କରି ନିରାଶ ହୋଇ ଫେରିଯାଉଥିଲେ । କେବଳ ରଥଯାତ୍ରା ସମୟରେ ଆଡ଼ପ ଦର୍ଶନ ପାଇଁ ସୁଯୋଗ ପାଉଥିଲେ । ତେବେ ଗତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଥିଲା ।