ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ପଞ୍ଚାୟତ ସାରଙ୍ଗଧର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କୁ ଜାତିଆଣ ଆକ୍ଷେପ କରିବା ସହିତ ବାସନ ମଜାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ମିତାଲୀ ମାହେଶ୍ଵରୀ ।
ସାରଙ୍ଗଧର ସରକାରୀ ଉଚ୍ଚ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷୟତ୍ରୀ ମିତାଲୀ ମାହେଶ୍ଵରୀ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ବାସନ ମଜାଇବା ଓ ମଧ୍ୟାନ୍ନ ଭୋଜନ ଅଇଁଠା ସଫା କରିବାକୁ ମଧ୍ୟ ବାଧ୍ୟ କରାଉଥିବା ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମଧ୍ୟାନ୍ନ ଭୋଜନରେ ଦିନେ ପୋକ ବାହାରିବାରୁ ସେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଜଣାଇଥିଲେ । ଦିଦି ତାଙ୍କୁ ନିଚ୍ଚ ଜାତିର କହି ଭଲ ଖାଦ୍ୟ ଖାଇ ପାରିବୁନି । ଯଦି ଭଲ ଖାଇବାର ଇଛା ତେବେ ଘରୁ ଖାଇବା ଧରିକି ଆସିବୁ ବୋଲି କହିଥିବା ସେ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି । ବାରମ୍ବାର ନିର୍ଯାତନା ପାଇବା ପରେ ଛାତ୍ରୀ ଜଣଙ୍କ ମାସେ ହେବ ସ୍କୁଲ ଯାଉନଥିବା ଜଣାପଡ଼ିଛି । ଯାହା ଦ୍ଵାରା ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ଛାତ୍ରୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଏପଟେ ପ୍ରଧାନ ଶିକ୍ଷୟତ୍ରୀ ନିଜ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି । ବିଦ୍ୟାଳୟରେ ପାଠ ପଢ଼ୁଥିବାବେଳେ ୫୦ରୁ ୬୦ ପ୍ରତିଶତ ଅନୁସୂଚିତ ଜାତି ଏବଂ ଜନଜାତିର ଅଟନ୍ତି ଏବଂ ସେ ନିଜେ ମଧ୍ୟ ଜଣେ ଅନୁସୂଚିତ ଜାତିର ଅଟନ୍ତି । ତେଣୁ ଜଣକୁ ଆମେ କାହିଁକି କହିବୁ ବୋଲି କହିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ । ଗତ ଶନିବାର ଦିନ ଉକ୍ତ ଛାତ୍ରୀ ଜଣକ ମଧ୍ୟାହ୍ନ ଭୋଜନ ସମୟରେ ଟିଫିରେ କିଛି ଲେଖୁଥିବାବେଳେ ସେହି ଶ୍ରେଣୀର ଛାତ୍ର ଜଣକ ପାଟିକରିଥିଲେ । ଏହାପରେ ଉକ୍ତ ଛାତ୍ରୀ ତାଙ୍କ ବାପାଙ୍କୁ ଜଣାଇବାରୁ ସେ ସିଧାସଳଖ ସ୍କୁଲ ଭିତରେ ପଶି ଉପର ଶ୍ରେଣୀର ଛାତ୍ରକୁ ପାଟି କରିଥିଲେ । ସେ ବିଦ୍ୟାଳୟରେ କାହାର ଅନୁମତି ନେଇନଥିଲେ । କେବଳ ଆକ୍ରୋଶ ରଖି ସେ ଏପରି ଅଭିଯୋଗ କରିଛନ୍ତି ବୋଲି ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି ।
ଏନେଇ ବ୍ଲକ ଶିକ୍ଷାଧିକାରୀ ଦିବ୍ୟପ୍ରକାଶ ପ୍ରଧାନ କହିଛନ୍ତି ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି । ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।