କଟକ: ବହୁ ଚର୍ଚ୍ଚିତ ଓଡ଼ିଆ ରାପର୍ ଅଭିନବ ସିଂହ ତଥା ଜଗର୍ଣ୍ଣଟଙ୍କ ଆତ୍ମହତ୍ୟା ଘଟଣାରେ ବଡ଼ ଖବର ସାମ୍ନାକୁ ଆସିଛି । ମୃତ ଅଭିନବଙ୍କ ପତ୍ନୀ ଉତ୍କଳଦୀପିକାଙ୍କୁ ଲାଲବାଗ ଥାନା ପୋଲିସ ଗିରଫ କରିଛି । ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ଦୀର୍ଘ ୨୮୫ ଦିନର ତଦନ୍ତ ପରେ ପୋଲିସ ଉତ୍କଳଦୀପିକାଙ୍କୁ ଗିରଫ କରିଛି ।
ଗତ ଫେବୃୟାରୀ ୧୦ତାରିଖରେ ବେଙ୍ଗାଲୁରୁରେ ଅଭିନବ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଏ ନେଇ ଅଭିନବଙ୍କ ବାପା ଲାଲବାଗ ଥାନାରେ ବୋହୁଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । ଅଭିନବଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହିତ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗ କରିଥିଲେ । ଅଭିନବଙ୍କ ପତ୍ନୀଙ୍କ ତରଫରୁ ମଧ୍ୟ ଯୌତୁକ ନିର୍ଯ୍ୟାତନାର ପାଲଟା ଅଭିଯୋଗ କରିଥିଲେ । ମାତ୍ର ପୋଲିସ ତଦନ୍ତ କରି ଉତ୍କଳ ଦୀପିକାଙ୍କୁ ଗିରଫ କରିଛି ।
ଅଭିନବଙ୍କ ମୃତ୍ୟୁ ପୂର୍ବରୁ ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ପରସ୍ପରଠୁ ଅଲଗା ହେବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ଗତବର୍ଷ ଅଗଷ୍ଟ ମାସରେ ଅଭିନବଙ୍କ ସ୍ତ୍ରୀ ତାଙ୍କୁ ଦୁଇ ଜଣ ଯୁବତୀଙ୍କ ସହିତ ଏକ ହୋଟେଲ୍ ରୁମରେ ଧରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା ।
କଟକ କାଳି ଗଳିରେ ଅଭିନବ ସିଂହ ଘର । ସେ ବେଙ୍ଗାଲୁରୁରେ ଏକ କମ୍ପାନୀରେ ଚାକିରି କରିବା ସହିତ ରାପ୍ ଗୀତ ମଧ୍ୟ ଗାଉଥିଲେ । ସେ ଜଗର୍ନଟ ନାଁରେ ପରିଚିତ ଥିଲେ। ସେ କଟକ ଅନ୍ଥେମ୍ ନାମକ ଏକ ଆଲବମ କରି ବେଶ ଲୋକ ପ୍ରିୟତା ହାସଲ କରିଥିଲେ । ଯେଉଁଥିରେ ସେ କଟକ ର ଐତିହ ଓ ଭାଇଚାରା ଇତ୍ୟାଦିକୁ ଦର୍ଶାଇ ଥିଲେ ।