ନୂଆଦିଲ୍ଲୀ: ଓଡ଼ିଶାରୁ ଅଧିକ ଉଷୁନା ଚାଉଳ କିଣିବ ଭାରତୀୟ ଖାଦ୍ୟ ନିଗମ ବା ଏଫସିଆଇ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ କେନ୍ଦ୍ର ଖାଉଟି ବେପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ଅରୋଧ ରକ୍ଷା କରିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
ଏଫସିଆ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଉଷୁନା ଚାଉଳ ଓଡ଼ିଶାରୁ କିଣିବାକୁ ନିଷ୍ପତ୍ତି ନେଇଛି । ଓଡ଼ିଶାରୁ ଅଧିକ ୮ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ କିଣିବ ଏଫସିଆଇ । ଏହା ଦ୍ୱାରା ଖରିଫ ଋତୁରେ ଧାର୍ଯ୍ୟ ଲକ୍ଷ୍ୟ ୪୦ରୁ ୪୭ ଲକ୍ଷ ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇଥିବାବେଳେ ରବି ଋତୁରେ ଧାର୍ଯ୍ୟ ଲକ୍ଷ୍ୟ ୧୦ରୁ ୧୧ ଲକ୍ଷ ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇବ ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଡବଲ ଇଞ୍ଜିନ ସରକାର ସବୁବେଳେ ‘ଅନ୍ନଦାତା’ଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ ଆସିଛନ୍ତି । ଧାନ କିଣା ଲକ୍ଷ୍ୟରେ ୮ ଲକ୍ଷ ମେଟ୍ରିକ୍ ଟନ୍ ବୃଦ୍ଧି ତଥା ମୋଟ ୫୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ନିଷ୍ପତ୍ତି ଓଡ଼ିଶାର ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ । ମୋଦୀ ସରକାରଙ୍କ ଏହି ସମୟୋଚିତ ନିଷ୍ପତ୍ତି ରାଜ୍ୟର ଅର୍ଥନୀତି ଓ ଆମ ଚାଷୀ ଭାଇଭଉଣୀଙ୍କ ହାତମୁଠାକୁ ମଜଭୁତ କରିବ ।
ଗତ ଅଗଷ୍ଟ ୪ ତାରିଖରେ ଓଡ଼ିଶାରେ ଖରିଫ ଋତୁ ଓ ରବି ଋତୁ ପାଇଁ ଏଫସିଆଇ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ଉଷୁନା ଧାନ କିଣିବା ସହ ଚାଉଳର ଶୀଘ୍ର ଉଠାଣ ପାଇଁ ଧର୍ମେନ୍ଦ୍ର କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ।