ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ବୁଧବାର ହୋଇଥିବା ବଦଳିରେ ୮ ଜଣ ଅଧିକାରୀଙ୍କ ନାମ ସାମିଲ ରହିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଉଷାରାଣୀ ସାହୁଙ୍କୁ ପିଆର୍ ଏବଂ ଡିଡବ୍ଲୁ ବିଭାଗକୁ ବଦଳି କରାଯାଇଛି । ଏହି ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଥିବା ଲୋପାମୁଦ୍ରା ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ମିଳିଛି ।
ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଏବଂ ଅତି ପଛୁଆବର୍ଗ ବିଭାଗରେ ଅତିରିକ୍ତ ସଚିବ ଥିବା ନାରାୟଣ ଚନ୍ଦ୍ର ଧାଇଙ୍କୁ ସମବାୟ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ଓଏଏସ୍ ଅଧିକାରୀ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ଏସଏସଟି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଥିବା ସୁକାନ୍ତ ମାଝୀଙ୍କୁ କେନ୍ଦୁଝର ଡୁଡାକୁ ପିଡିଭାବେ ବଦଳି କରାଯାଇଚି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଯୁଗ୍ମ ସଚିବ ଥିବା ପ୍ରିୟବ୍ରତ ପାଢ଼ୀ କେନ୍ଦୁଝରକୁ ସ୍ୱତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ (ସ୍ପେଶାଲ୍ ଲ୍ୟାଣ୍ଡ୍ ଆକ୍ୟୁଜିସନ୍ ଅଫିସର) ଦାୟିତ୍ୱ ତୁଲାଇବେ ।
ଯାଜପୁର ଜିଲ୍ଲାର ପୂର୍ବତନ ଉପଜିଲ୍ଲାପାଳ ଅନିତା ନାୟକ ବାଲେଶ୍ୱରକୁ ବଦଳି ହୋଇଛନ୍ତି । ସେ ସେଠାରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ କାର୍ଯ୍ୟ କରିବେ । ସେହିପରି ଜଟଣୀର ପୂର୍ବତନ ତହସିଲଦାର ଥିବା ପ୍ରୀତିପମା ମିଶ୍ର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଉପ-ସଚିବ ପଦରେ କାମ କରିବେ ।