ଭୁୁବନେଶ୍ୱର: ଗୁରୁବାର ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଙ୍କ ଗସ୍ତକୁ ନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଓଡିଶା ବିଧାନସଭା ପାଇଁ ଐତିହାସିକ ଦିନ ହେବାକୁ ଯାଉଛି । କାରଣ ପ୍ରଥମ ଥର ବିଧାନସଭାକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି । ଦିନେ ଯେଉଁ ବିଧାନସଭାର ସଦସ୍ୟ ଥିଲେ ଆଜି ସେହି ବିଧାନସଭାରେ ରାଷ୍ଟ୍ରପତି ଭାବେ ବସିବେ ଦ୍ରୌପଦୀ ମୁର୍ମୁ ।
ଅପରାହ୍ଣ ୪ଟା ୩୦ମିନିଟରେ ବିଧାନସଭାରେ ରାଷ୍ଟ୍ରପତି ପହଞ୍ଚିବା ପରେ ପ୍ରଥମେ ବିଧାୟକମାନଙ୍କୁ ନେଇ ଫଟୋ ସେସନ କରାଯିବ । ଏହାପରେ ବିଧାନସଭାକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣିବା ପାଇଁ ବିଧାୟକଙ୍କ ମହଲରେ ଆଗ୍ରହ ଦେଖିବାକୁ ମିଳିଛି । ଶାସକ ବିଜେପିଠୁ ନେଇ ବିରୋଧି ବିଜେଡି ଓ କଂଗ୍ରେସର ବିଧାୟକମାନେ ରାଷ୍ଟ୍ରପତିଙ୍କ ଆଗମନକୁ ଅପେକ୍ଷା କରିଛନ୍ତି । ତେବେ ନିଜ ସମ୍ବୋଧନରେ ରାଷ୍ଟ୍ରପତି ଲୋକଙ୍କ ସମସ୍ୟା କିଭଳି ଠିକ ଢଙ୍ଗରେ ଉପସ୍ଥାପନ କରାଯିବ ସେ ନେଇ ଟିପ୍ସ ଦେଇ ପାରନ୍ତି ରାଷ୍ଟ୍ରପତି ।
ଋାଷ୍ଟ୍ରପତିଙ୍କ ଆଗମନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବିରୋଧୀ ଦଳ ଉପନେତା ପ୍ରଶନ୍ନ ଆଚାର୍ୟା କହିଛନ୍ତି ରାଷ୍ଟ୍ରପତି ବିଧାନସଭାକୁ ଆସିବେ ଏହା ବଡ଼ ଆନନ୍ଦର କଥା। ଆମେ ତାକୁ ହୃଦୟରୁ ସ୍ୱାଗତ କରୁଛୁ। ରାଷ୍ଟ୍ରପତି ଏହି ଗୃହରେ ସଦସ୍ୟ ଥିଲେ। ଆମ ପାଇଁ ଏହା ସୃତି ହୋଇ ରହିବ ବୋଲି କହିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ସ୍ବାଗତ କରିଛି ।
ସୂଚନାଯୋଗ୍ୟ, ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଓଡିଶା ବିଧାନସଭାର ସଦସ୍ୟ ଥିଲେ ରାଷ୍ଟ୍ରପତି । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବିଜେପି ଓ ବିଜେଡି ମେଣ୍ଟ ସରକାରରେ ପରିବହନ ମନ୍ତ୍ରୀ ଥିଲେ ଦ୍ରୌପଦୀ ମୁର୍ମୁ । ପୁରୁଣା ସ୍ମୃତି ଉଜ୍ଜୀବିତ ହେବ । ବିଧାନସଭାରେ ଅଭିଭାଷଣ ରଖିବା ପରେ ୧୧ ନମ୍ବର ରୁମକୁ ଆସି ସମୟ ବିତାଇବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ତେଣୁ ବିଧାନସଭାରୁ ସ୍ମୃତି ସାଉଁଟିବା ବେଳେ ଏହି ଚାମ୍ବରରେ କିଛି ସମୟ ବିତେଇବେ ରାଷ୍ଟ୍ରପତି। ସେଥିପାଇଁ ବିଧାନସଭା ସମେତ ଏହି ଚାମ୍ବରକୁ ବି ସଜାଯାଇଛି। ରାଷ୍ଟ୍ରପତି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି ।