ସମ୍ବଲପୁର: ଟ୍ରେଡିଂ ନାଁରେ କୋଟି କୋଟି ଟଙ୍କାର ଠକେଇ । ଏଭଳି ଏକ ବଡ ଧରଣର ଠକେଇର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୋଲିସ l ପ୍ରାୟ ୨୦ କୋଟି ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି । ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ମଧୁସୂଦନ ବରେଇ (୩୬) । ଏହା ସହ ବିଭିନ୍ନ ବ୍ୟାଙ୍କର ପାସବୁକ, ମୋବାଇଲ ଓ କମ୍ପ୍ୟୁଟର ଇତ୍ୟାଦି ଜବତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି ।
ଅଭିଯୁକ୍ତ ଜଣକ ହେଲେ ମଧୁସୂଦନ ଏଏ ଏଣ୍ଟପ୍ରାଇଜେସ୍ ନାଁରେ ଏକ ସଂସ୍ଥା ଖୋଲି ନିବେଶକଙ୍କୁ ଯୋଗାଡ଼ କରିଥିଲା । ମୋଟା ଟଙ୍କା ଫେରସ୍ତ ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକୁଥିଲା । ବିନିଯୋଗ ଅର୍ଥର ମାସିକ ୧୦ ପ୍ରତିଶତ ସୁଧ ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଆକୃଷ୍ଟ କରୁଥିଲା । ଏମିତି ପ୍ରାୟ ୨୦ କୋଟିରୁ ଅଧିକ ଟଙ୍କା ଲୋକଙ୍କ ଠାରୁ ଲୁଟି ନେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଧରାଛୁଆଁ ଦେଇନଥିଲା । ଲୋକଙ୍କ ଟଙ୍କାକୁ ନିଜ ପରିବାର ସଦସ୍ୟଙ୍କ ନାମରେ ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟ ଖୋଲି ରଖୁଥିଲା । ତେବେ ପୋଲିସ ନିକଟରେ ଅଭିଯୋଗ ପରେ ପୋଲିସ ତଦନ୍ତ କରିଥିଲା । ଏହି ମାମଲାର ପର୍ଦ୍ଦାଫାସ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୪୭ ଜଣଙ୍କୁ ଠକିଥିବା ଏସପି ସୂଚନା ଦେଇଛନ୍ତି । ତେବେ ଏଥିରେ ଅନ୍ୟମାନେ ସମ୍ପୃକ୍ତ ଥିବା ପୋଲିସ ଅନୁମାନ କରିଛି ।