ଭୁବନେଶ୍ୱର: ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବ ଓଡ଼ିଶା ବିଧାନସଭାର କାହାଣୀ । ପ୍ରଥମଥର ଓଡ଼ିଶା ବିଧାନସଭାରେ ପାଦ ଥାପିଛନ୍ତି ଦେଶର ସର୍ବୋଚ୍ଚ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଯାହାକି ଓଡ଼ିଶା ଗଣତନ୍ତ୍ର ଇତିହାସର ଐତିହାସିକ ଦିନ ହୋଇଛି ।
ଗୁରୁବାର ଅପରାହ୍ନ ୪ଟା ୨୦ରେ ରାଷ୍ଟ୍ରପତି ବିଧାନସଭା ପରିସରରେ ପହଁଚିଥିଲେ । ମାନ୍ୟବର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ । ଏହା ପରେ ସମସ୍ତ ଗୃହର ସମସ୍ତ ସଦସ୍ୟ, ସଦସ୍ୟା ଓ ସାଂସଦଙ୍କ ସହିତ ରାଷ୍ଟ୍ରପତି ଫଟୋ ଉଠାଇଥିଲେ । ଏହାପରେ ଗୃହ କାର୍ଯ୍ୟରେ ଯୋଗ ଦେଇଥିଲେ । ପ୍ରଥମେ ବାଚସ୍ପତି ସୁରମା ପାଢ଼ୀ ରାଷ୍ଟ୍ରପତିଙ୍କୁ ଗୃହ କାର୍ଯ୍ୟକୁ ସ୍ୱାଗତ କରିଥିଲେ । ବାଚସ୍ପତି ସ୍ୱାଗତ ଭାଷଣ ରଖିବା ସହିତ ଉତ୍ତରୀୟ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ଏବଂ ଓଡ଼ିଶା ବିଧାନ ସୌଧର ଫଟୋଚିତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଅଭିଭାଷଣ ରଖିଥିଲେ । ଓଡ଼ିଆ ମାଟିକୁ ରାଷ୍ଟ୍ରପତି ଗୌରାନ୍ୱିତ କରିଛନ୍ତି ବୋଲି କହିଛନ୍ତି ନବୀନ । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ଦୀର୍ଘ ୭୫ବର୍ଷରେ ଓଡ଼ିଶା ବିଧାନସଭାରେ ଆଜିର ଦିନ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏକ ସାମାନ୍ୟ ସାନ୍ତାଳୀ ପରିବାରରେ ଜନ୍ମ ଗ୍ରହଣ କରି ସମସ୍ତ ଝଡ଼ଝଞ୍ଝାକୁ ଅତିକ୍ରମ କରି ସଫଳତା ହାସଲ କରିଛନ୍ତି ।
ବିଧାନସଭା ଗୃହରେ ସମସ୍ତ ପୂର୍ବତନ ବିଧାୟକ ଓ ବିଧାୟିକା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ଲୋକସଭା ଓ ରାଜ୍ୟସଭା ସାଂସଦ ପ୍ରମୁଖ ଉପସ୍ଥିତ ରହି ଏହି ଐତିହାସିକ ଦିନର ସାକ୍ଷୀ ରହିଥିଲେ ।