ଭୁବନେଶ୍ୱର: ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବ ଓଡ଼ିଶା ବିଧାନସଭାର ଆଜିର ଏହି ଐତିହାସିକ ଦିନ । ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭା ଗୃହକୁ ସମ୍ବୋଧନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ବିଧାନସଭାକୁ ପୁଣି ଥରେ ଆସି ଘରକୁ ଫେରିବା ଭଳି ଅନୁଭୂତ ହେଉଛି । ନିଜ ଆଚରଣ ଏବଂ ଉଚ୍ଚାରଣରେ ସଂଯମତା ରଖିବାକୁ ରାଷ୍ଟ୍ରପତି ସମ୍ବୋଧନରେ କହିଛନ୍ତି ରାଷ୍ଟ୍ରପତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୀତ ଅଧିବେଶନର ପ୍ରଥମ ଦିବସରେ ଗୃହକୁ ସମ୍ବୋଧିତ କରିଛନ୍ତି । ପ୍ରାୟ ୨୦ ମିନିଟ୍ ଧରି ରାଷ୍ଟ୍ରପତି ଗୃହକୁ ସମ୍ବୋଧିତ କରିଥିଲେ । ତାଙ୍କ ଅଭିଭାଷଣରେ ନିଜର ପୁରୁଣା ଦିନର ଅନୁଭୂତିକୁ ବଖାଣିଛନ୍ତି । ଏହା ସହିତ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ନାରୀ ସଶକ୍ତିକରଣଠାରୁ ଆରମ୍ଭ କରି କୃଷକ ସଶକ୍ତିକରଣ ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ ନିଜ ଘରକୁ ଫେରିବା ଭଳି ଲାଗୁଛି । ଅନେକ ବିଧାନସଭାକୁ ସମ୍ବୋଧିତ କରିଛି କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବା ଏକ ଭିନ୍ନ ଅନୁଭୂତି, କାରଣ ଏହା ମୋର କାର୍ଯ୍ୟସ୍ଥଳୀ ଥିଲା । ଏ ଗୃହ କଥା କହିବା , ରାଜନୈତିକ ବ୍ୟବହାର ଏବଂ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିବାଭଳି ଶିକ୍ଷା ଦେଇଛି । ସମସ୍ତ ଶ୍ରେୟ ଗୃହକୁ ଦେଇଛନ୍ତି । ଓଡ଼ିଶା ବିଧାନସବା ନିଅଁ ଦେଇଛି, ଯଦି ଏ ନିଅଁ ସୁଦୃଢ଼ ହୋଇ ନଥାଆନ୍ତା, ଓଡ଼ିଶାବାସୀଙ୍କ ଭଲ ପାଇବା ନ ଥାଆନ୍ତା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ତେବେ ମୁଁ ଆଜି ଯେଉଁଠି ଅଛି , ସେଠାରେ ପହଁଚି ପାରି ନାଥାଆନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି । ଏଠାରେ ବିଧାୟକ ହୋଇଛି ଏବଂ ମନ୍ତ୍ରୀ ହୋଇ ବିଧାୟକଙ୍କ ଉତ୍ତର ଦେବାକୁ ମଧ୍ୟ ସୁଯୋଗ ପାଇଛି । ଏହା ସହିତ ନିଜ ସହିତ କାମ କରିଥିବା ଅନ୍ୟାନ୍ୟ ସଦସ୍ୟଙ୍କ କଥା ମଧ୍ୟ କହିଥିଲେ ।
ସେହିପରି ରାଷ୍ଟ୍ରପତି ଓଡ଼ିଶାର ଗୌରମୟ ଇତିହାସ ସମ୍ପର୍କରେ ଅଭିଭାଷଣ ରଖିଥିଲେ । ରାଷ୍ଟ୍ର ଗଠନରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଭାରତର ଦେଶୀୟ ରାଜ୍ୟର ମିଶ୍ରଣ ଓଡ଼ିଶାରୁ ଆରମ୍ଭ ହୋଇଥିଲା । ବହୁ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ ବିଦ୍ୟାଧର, ବୀର ସୁରେନ୍ଦ୍ର ସାଏ ଲକ୍ଷ୍ମଣ ନାଏକ, ବାଜି ରାଉତ, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କୁ ସ୍ମରଣ କରିଛନ୍ତି ।
ସେହିପରି ଓଡ଼ିଶା ଇତିହାସରେ ଥିବା ନାରୀ ଶୁକ୍ତିଙ୍କ ଗୁଣଗାନ କରିଛନ୍ତି । ରମାଦେବୀ, କୁନ୍ତଳା କୁମାରୀ ସାବତ, ପାର୍ବତୀ ଦେବୀ, ମାଳତୀ ଦେବୀଙ୍କ ଜୀବନୀକୁ ମଧ୍ୟ ଉପସ୍ଥାପନ କରିଛନ୍ତି ।
ଓଡ଼ିଶା ବିଧାନସଭାରେ ମହିଳା ପ୍ରତିନିଧିତ୍ୱର ଦୀର୍ଘ ଇତିହାସ ରହିଛି । ସ୍ୱାଧୀନତା ପୂର୍ବରୁ ଏବଂ ପରେ ଏପରି କୌଣସି ଅଧିବେଶନ ନାହିଁ ଯେଉଁଥିରେ ମହିଳା ପ୍ରତିନିଧିତ୍ୱ ନାହାଁନ୍ତି ।
ଚାଷୀ ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଚାଷୀ ସଶକ୍ତ ନ ହେଲେ ଦେଶ ବିକଶିତ ହୋଇପାରିବ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଛନ୍ତି । ଓଡ଼ିଶାରେ ଶିଳ୍ପାୟନ ପ୍ରକ୍ରିୟା ନୂଆ ରୂପ ନେଉଛି । ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ । କୃଷି, ଶିକ୍ଷା, ଶିଳ୍ପ ଏବଂ ବାଣିଜ୍ୟରେ ଓଡ଼ିଶା ଅନୁକୂଳ ଅଟେ । ଏହାକୁ ଉପଯୋଗ କରି ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ ।
ପରିଶେଷରେ ରାଷ୍ଟ୍ରପତି ଉପସ୍ଥିତ ସଦସ୍ୟ ଏବଂ ସଦସ୍ୟାଙ୍କୁ ଗୃହରେ କିପରି ବ୍ୟବହାର ଦେଖାଇବେ ସେ ନେଇ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି । ଓଡ଼ିଶା ପ୍ରଗତିକୁ ଜୀବନର ବ୍ରତ ଭାବରେ ଗ୍ରହଣ କରନ୍ତୁ । ନେସନ୍ ଫାଷ୍ଟ ବା ପ୍ରଥମେ ଦେଶ ଭାବନାକୁ ନେଇ ସମସ୍ତେ କାର୍ଯ୍ୟ କରିବେ ବୋଲି ରାଷ୍ଟ୍ରପତି ଉପସ୍ଥିତ ସଦସ୍ୟବୃନ୍ଦଙ୍କଠାରୁ ଆଶା ବ୍ୟକ୍ତ କରିଛନ୍ତି । ଜନ ପ୍ରତିନିଧିଭାବରେ ଲୋକଙ୍କ ଆଶା ଓ ଆକଂକ୍ଷା ପୂରଣ କରିବାକୁ ଚେଷ୍ଟା କରନ୍ତୁ । ରାଜ୍ୟରେ ଜଣେ ଜଣେ ଚିହ୍ନା ମୁହଁ । ଟେକ୍ନୋଲୋଜି ଜରିଆରେ ଲୋକମାନେ ସମସ୍ତେ ଜାଣିପାରୁଛନ୍ତି । ଗୃହ ଭିତରେ ଏବଂ ବାହାରେ ନିଜ ଉଚ୍ଚାରଣ ଓ ଆଚରଣରେ ସଂଯମତା ରଖିବା ଉଚିତ ବୋଲି ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି ।