ମୟୂରଭଞ୍ଜ: କଳା ଓ ସଂସ୍କୃତିର ଏକ ସ୍ଵତନ୍ତ୍ର ପରିଚୟ ନେଇ ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟମ ମୟୁରଭଞ୍ଜ ମହୋତ୍ସବ । ମହୋତ୍ସବ ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୧୧ଦିନ ଧରି ଚାଲିବ । ଏନେଇ ଛଉ ପଡିଆଠାରେ ମହୋତ୍ସବ ଆୟୋଜକ କମିଟି ଅଧ୍ୟକ୍ଷ ଅସିତ ପତିଙ୍କ ଅଧ୍ୟକ୍ଷତାରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି ।
ପ୍ରତିବର୍ଷ ଭଳି ଜିଲ୍ଲାର ବିଭିନ୍ନ କଳାକାରମାନଙ୍କୁ ନେଇ ପ୍ରଥମ ଦିନରେ ଅପରାହ୍ନ ୨ଟାରେ ରଥ ପଡିଆ ଠାରୁ ଛଉ ପଡିଆ ପର୍ଯ୍ୟନ୍ତ ଆୟୋଜିତ ହେବ କାରନିଭାଲ ସୋ ବା ସାଂସ୍କୃତିକ ଶୋଭାଯାତ୍ରା । ଯେଉଁଥିରେ କଳାକାରମାନ ପାରମ୍ପାରିକ ନୃତ୍ୟ ପରିବେଷଣ ହେବ । ଏହା ପରେ ଦ୍ୱିତୀୟ ଦିନରେ ଡିସେମ୍ବର ୧ ତାରିଖରୁ ଐତିହାସିକ ଛଉ ପଡିଆରେ ଅନୁଷ୍ଠିତ ହେବ ମହୋତ୍ସବ। ଚଳିତ ବର୍ଷ ବାମନଘାଟି ଉପଖଣ୍ଡ ସ୍ଥିତ ଖଡଖାଇ ବନ୍ଧ ଆକୃତିର ତୋରଣ ମୁଖ୍ୟ ଆକର୍ଷଣ ରହିଛି । ପ୍ରତିଦିନ ସନ୍ଧ୍ୟା ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣ କଳାକାରଙ୍କ ଦ୍ଵାରା କଳା ପ୍ରଦର୍ଶନ ସହିତ ସିନେ ଜଗତର ବହୁ ନାମୀଦାମୀ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । ମହୋତ୍ସବରେ ତଡକା ଲଗାଇବେ ବଲିଉଡ୍ କଳାକାର । ବଲିଉଡ୍ ହିରୋଇନ୍ ଭାଗ୍ୟଶ୍ରୀଙ୍କ ସହିତ ସୁନାମଧନ୍ୟ କଣ୍ଠଶିଳ୍ପୀ ରୂପ କୁମାର ରାଠୋର ଏବଂ ସୋନାଲି ରାଠୋର ଉଦଯାପନୀ ସନ୍ଧ୍ୟାରେ ଧୁମ୍ ମଚାଇବେ। ଆଦିବାସୀ ବହୁଳ ଜିଲ୍ଲାର ଆଦିବାସୀ ପରମ୍ପରାକୁ ପ୍ରାଧାନ୍ୟ ଦେଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୩ ଦିନ ସ୍ଵତନ୍ତ୍ର ଆଦିବାସୀ କାର୍ଯ୍ୟକ୍ରମ, ୩ ଦିନ ଓଡ଼ିଆ କାର୍ଯ୍ୟକ୍ରମ, ୨ ଦିନ କୁଡୁମାଲି କାର୍ଯ୍ୟକ୍ରମ ସହିତ ୨ ଦିନ ବଲିଉଡ ଓ ଇଣ୍ଡିଆନ୍ ଆଇଡଲ କଳାକାରଙ୍କୁ ନେଇ କାର୍ଯ୍ୟକ୍ରମ ହେବାକୁ ନିଷ୍ପତ୍ତି ହୋଇଛି।
ମହୋତ୍ସବରେ ମୟୂରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପରୁ ଆରମ୍ଭ କରି କୁଟୀର ଶିଳ୍ପ, ଖେଳନାରୁ ଆରମ୍ଭ କରି ପୋଷାକ ଆଉ ତା ସହ ଘରକରଣା ସାମଗ୍ରୀ ଏବଂ ପାରମ୍ପାରିକ ଖାଦ୍ୟ ମୁଢି ମାଂସ ସହ ଅନ୍ୟାନ୍ୟ ଖାଦ୍ୟର ମଧ୍ୟ ମଜା ଉଠାଇ ପାରିବେ ଦର୍ଶକ । ୨୦୦ରୁ ଉର୍ଦ୍ଧ୍ୱ ଷ୍ଟଲ ଖୋଲିବ ବୋଲି ଆୟୋଜକ କମିଟିର ସଭାପତି କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି । ଯୁବପିଢୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଲ୍ଫି ଜୋନର ବ୍ୟବସ୍ଥା କରାଯିବା ବୋଲି କହିଛନ୍ତି ଆୟୋଜକ ।