ଭୁବନେଶ୍ୱର: ଆଜିଠାରୁ ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନ ବା ଶୀତ ଅଧିବେଶନ ଆରମ୍ଭ ହୋଇଛି । ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ ହୋଇଛି । ଏହା ପରେ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ୩୦ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଜଣ ଦିବଙ୍ଗତ ପୂର୍ବତନ ବିଧାୟକ ଏବଂ ସହୀଦ କନଷ୍ଟେବଳଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଦିବଙ୍ଗତ ପୂର୍ବତନ ବଣାଇ ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ର, ପୂର୍ବତନ ଜଗତସିଂହପୁର ବିଧାୟକ ସ୍ୱର୍ଗତ କୃଷ୍ଣଚନ୍ଦ୍ର ମଲ୍ଲିକ ଓ ଓଡ଼ିଶାର ପୋଲିସ କଷ୍ଟେବଳ ସହୀଦ ସରୋଜ କୁମାର ପ୍ରଧାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇ(ଏମ) ଦଳର ନେତା ଲକ୍ଷ୍ମଣ ମୁଣ୍ଡା ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହା ପରେ ବାଚସ୍ପତି ଏକ ମିନିଟ୍ ନୀରବ ପ୍ରାର୍ଥନା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଗୃହକୁ ୪ଟା ୩୦ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ଏହା ପରେ ବାଚସ୍ପତି ରାଷ୍ଟ୍ରପତିଙ୍କ ଆଗମନ ନେଇ ସୂଚନା ପ୍ରଦାନ କରିଥିଲେ । ସମସ୍ତ ସଦସ୍ୟ ଏବଂ ସଦସ୍ୟାମାନଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳ ପକ୍ଷରୁ ଆସିଥିବା ପ୍ରଶ୍ନ ଗୁଡ଼ିକୁ ବାଚସ୍ପତି ଗ୍ରହଣ କରିଥିବାବେଳେ ଆଲୋଚନା କରାଯିବା ନାହିଁ ବୋଲି କହିଥିଲେ । କେବଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ସୂଚିତ କରାଯାଇଛି ।
ସେହିପରି ଆଜି ଅପରାହ୍ଣ ୪ଟା ୩୦ମିନିଟରେ ବିଧାନସଭାରେ ରାଷ୍ଟ୍ରପତି ପହଞ୍ଚିବା ପରେ ପ୍ରଥମେ ବିଧାୟକମାନଙ୍କୁ ନେଇ ଫଟୋ ସେସନ କରାଯିବ । ଏହାପରେ ବିଧାନସଭାକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଓଡିଶା ବିଧାନସଭାର ସଦସ୍ୟ ଥିଲେ ରାଷ୍ଟ୍ରପତି । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବିଜେପି ଓ ବିଜେଡି ମେଣ୍ଟ ସରକାରରେ ପରିବହନ ମନ୍ତ୍ରୀ ଥିଲେ ଦ୍ରୌପଦୀ ମୁର୍ମୁ । ପୁରୁଣା ସ୍ମୃତି ଉଜ୍ଜୀବିତ ହେବ । ବିଧାନସଭାରେ ଅଭିଭାଷଣ ରଖିବା ପରେ ୧୧ ନମ୍ବର ରୁମକୁ ଆସି ସମୟ ବିତାଇବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।