ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ବଡ ବିଜୟ ପରେ ଉତ୍ସାହିବ ବିଜେପି ଏବେ ପଶ୍ଚିମବଙ୍ଗ ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ହୋଇଥିବା ଡିନର ମିଟିଂରେ ବିଜେପି ନେତାଙ୍କୁ ମାର୍ଗଦର୍ଶନ ଦେଇଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । ବିହାରରେ ମିଳିଥିବା ବିଜୟରେ ଅହଙ୍କାର ଭାବନା ମନକୁ ନ ଆଣି ପଶ୍ଚିମବଙ୍ଗ ପାଇଁ ପ୍ରସ୍ତୁତି କରିବାକୁ କହିଛନ୍ତି ଶାହ । ଏବେ ଆମକୁ ପଶ୍ଚିମବଙ୍ଗର ଲଢେଇ ପାଇଁ ପ୍ରସ୍ତୁତି କରିବାକୁ ପଡିବ । ଶାହ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଯେଉଁଠି କମ ଲୋକ ସେଠି ପୂରା ମୁଡରେ ରହି କାମ କରନ୍ତୁ କର୍ମୀ ।
ଗୃହ ମନ୍ତ୍ରୀ କହିଛନ୍ତି ଯେଉଁଠି ବି ସଂଗଠନ ଦୁର୍ବଳ ରହିଛି, ସେଠାକ ଯାଇ ମଜବୁତ କରନ୍ତୁ । ନେତାଙ୍କ ଭୂମିକା କେବଳ ନିର୍ବାଚନ ଲଢିବାରେ ସୀମିତ ନୁହେଁ, ବରଂ ଯେଉଁଠି ଆମର ସ୍ଥିତି ଦୁର୍ବଳ ରହିଛି ସେଠାରେ ସକ୍ରିୟତାର ସହ କାମ କରନ୍ତୁ । ଏହା ବ୍ୟତୀତ ବିହାର ନେତାଙ୍କ ପାଇଁ ଶାହ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ କୌଣସି ବି ନେତା ଏହି ଭାବନାରେ ନ ରୁହନ୍ତୁ ଯେ, ତାଙ୍କ ଯୋଗୁଁ ହିଁ ବିଜୟ ମିଳିଛି । ଏମିତି ଚିନ୍ତା କଲେ ଅହଙ୍କାର ଭାବନା ଉତ୍ପନ ହୁଏ । ସମସ୍ତ ନେତା ନିଜ ପରିଶ୍ରମର ପରାକାଷ୍ଠା ଦେଖାଇଛନ୍ତି । ନିର୍ବାଚନରେ ଗୋଟିଏ ପ୍ରତିଶତ ଯୋଗଦାନ ବି ବହୁତ ବଡ ହୋଇଥାଏ । ମାତ୍ର କେହି ନେତା ଭାବନ୍ତୁ ନାହିଁ ଯେ, ବିଜୟ ତାଙ୍କ କାରଣରୁ ହିଁ ହୋଇଛି ।
ଆସନ୍ତା ବର୍ଷ ଏପ୍ରିଲ-ମେରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାର ପ୍ରସ୍ତାବ ରହିଛି । ବିହାର ପରେ ଏବେ ବିଜେପିର ଫୋକସ ପଶ୍ଚିମବଙ୍ଗ ଉପରେ ରହିଛି । ଅମିତ ଶାହ କହିଛନ୍ତି, କୌଣସି ନେତାଙ୍କୁ ବଙ୍ଗାଲ ଡ୍ୟୁଟିରେ ବି ପଠାଯାଇପାରେ । ବିଧାନସଭାଠୁ ନେଇ ବୁଥ ସ୍ତର ପର୍ଯ୍ୟନ୍ତ ମୁତୟନ କରାଯାଇପାରେ ବୋଲି ଶାହ କହିଛନ୍ତି ।
Also read: 'ଗେମିଂ ଆପ୍ସ ନାମରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇ ଦିଆଉଛି: ସୁପ୍ରିମ୍କୋର୍ଟ