ନୂଆଦିଲ୍ଲୀ: ଆଜି ସାରା ଦେଶରେ ଜାତୀୟ ସମ୍ବିଧାନ ଦିବସ ପାଳନ କରାଯାଉଛି। ୨୦୨୫ ସମ୍ବିଧାନ ଦିବସରେ ପୁରୁଣା ସଂସଦ ଭବନରେ ଏକ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ସମ୍ବିଧାନ ଗୃହର କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଐତିହାସିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଛନ୍ତି। ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭାର ବାଚସ୍ପତି, କେନ୍ଦ୍ର ମନ୍ତ୍ରୀ ଏବଂ ସଂସଦର ଉଭୟ ଗୃହର ସାଂସଦମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।
ସମ୍ବିଧାନ ଦିବସରେ ଦିଲ୍ଲୀର ପୁରୁଣା ସଂସଦ ଭବନରେ ଏକ କାର୍ଯ୍ୟକ୍ରମ ଚାଲିଛି। କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ନଅଟି ଭାଷାରେ ସମ୍ବିଧାନର ଅନୁବାଦିତ ସଂସ୍କରଣ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ନଅଟି ଭାଷାରେ ସମ୍ବିଧାନର ଅନୁବାଦିତ ସଂସ୍କରଣ ଉନ୍ମୋଚନ କରିଛନ୍ତି, ଯେଉଁଥିରେ ମାଲାୟଲମ, ମରାଠୀ, ନେପାଳୀ, ପଞ୍ଜାବୀ, ବୋଡୋ, କାଶ୍ମୀରୀ, ତେଲୁଗୁ, ଓଡ଼ିଆ ଏବଂ ଆସାମୀ ଅନ୍ତର୍ଭୁକ୍ତ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଭାରତର ଗଣତନ୍ତ୍ର ବିଶ୍ୱ ପାଇଁ ଏକ ଉଦାହରଣ। ସଂସଦ ଭବନରେ ଅଭିଭାଷଣ ଦେଇ ସେ କହିଛନ୍ତି ଯେ ସମ୍ବିଧାନ ଦ୍ୱାରା ଆମର ଆତ୍ମସମ୍ମାନ ସୁନିଶ୍ଚିତ ହୋଇଛି। ୨୫କୋଟି ଲୋକ ଦାରିଦ୍ର ସୀମାରେଖାରୁ ବାହାରି ଆସିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ୧୯୪୯ ମସିହା ଆଜିର ଦିନରେ ସମ୍ବିଧାନ ସଭାର ସଦସ୍ୟମାନେ ଭାରତର ସମ୍ବିଧାନ ପ୍ରସ୍ତୁତ କରିବାର କାର୍ଯ୍ୟ ସମାପ୍ତ କରିଥିଲେ। ଏହି ଦିନ ଆମେ ଭାରତର ଲୋକମାନେ ଆମର ସମ୍ବିଧାନ ଗ୍ରହଣ କରିଥିଲୁ। ସ୍ୱାଧୀନତା ପରେ ସମ୍ବିଧାନ ସଭା ମଧ୍ୟ ଭାରତର ମଧ୍ୟବର୍ତ୍ତୀକାଳୀନ ସଂସଦ ଭାବରେ ନିଜର କର୍ତ୍ତବ୍ୟ ପାଳନ କରିଥିଲା।
ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଆମ ସମ୍ବିଧାନର ମୁଖ୍ୟ ନିର୍ମାତା। ବାବା ସାହେବଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ୨୦୧୫ରୁ ପ୍ରତିବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଷ୍ଟ୍ରପତି କହିଛନ୍ତି ୨୫କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ଦେଶର ସବୁଠାରୁ ବଡ ସଫଳତା ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି।
ଅଧିକ ପଢନ୍ତୁ: ଆଜି ସଂସଦରେ ଆୟୋଜନ ହେବ ଭବ୍ୟ ସମାରୋହ, ଅଧ୍ୟକ୍ଷତା କରିବେ ରାଷ୍ଟ୍ରପତି