ଭୁବନେଶ୍ୱର: ଜଣେ ଓଡ଼ିଆ ହିସାବରେ ଓଡ଼ିଆ ଅସ୍ମିତା ପାଇଁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଭୋଟ ଦେବା ନିଷ୍ପତ୍ତିକୁ ସମର୍ଥନ ଦେଇଛନ୍ତି ଝିଅ ତଥା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ଯେଉଁଥିପାଇଁ ଆଜି ବିଧାନସଭାରେ ପ୍ରଥମ ଥର ବିଧାୟିକା ହେବା ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣିପାରିବାର ସୌଭାଗ୍ୟ ପାଇଛନ୍ତି କହିଛନ୍ତି ସୋଫିଆ ।
ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଆଜି ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧନ କରିବେ । ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ସୋଫିଆ । ପ୍ରଥମ ଥର ବିଧାୟିକା ହେବା ପରେ ଆଜିର ଏଭଳି ଏକ ଐତିହାସିକ ମୁହୁର୍ତ୍ତରେ ଉପସ୍ଥିତି ରହିବାର ସୁଯୋଗ ମିଳିଛି । ସେ କହିଛନ୍ତି ବାପା ସେତେବେଳେ ପ୍ରଥମେ ମାଟି କଥା ଭାବିଥିଲେ ଏବଂ ପରେ ପାର୍ଟି କଥା ଚିନ୍ତା କରିଥିଲେ । ମାଟି ପାଇଁ ଓଡ଼ିଆ ଝିଅକୁ ଭୋଟ୍ ଦେଇଥିଲେ । ରାଷ୍ଟ୍ରପତି ନିର୍ବାଚନ ସମୟରେ ଦଳ ପକ୍ଷରୁ କୌଣସି ହ୍ୱିପ୍ ଜାରି କରାଯାଇନଥିଲା । ସେଥିପାଇଁ ବାପା ଓଡ଼ିଆ ଝିଅ ପାଇଁ ନିଜ ମାଟି ପାଇଁ ଛିଡ଼ା ହୋଇଥିଲେ । ଆଜି ସେ ରାଷ୍ଟ୍ରପତି ଏବଂ ଏହା ଆମ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ସୋଫିଆ ।
2022ରେ ରାଷ୍ଟ୍ରପତି ନିର୍ବାଚନ ସମୟରେ ତତ୍କାଳୀନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦଳ ବିରୁଦ୍ଧରେ ଯାଇ ଏନଡିଏ ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିଲେ । ଓଡ଼ିଆ ହିସାବରେ ଓଡ଼ିଆ ଝିଅକୁ ଭୋଟ୍ ଦେଇଛନ୍ତି ବୋଲି ସେତେବେଳେ କହିଥିଲେ ମୋକିମ । ସମ୍ବିଧାନର ସର୍ବୋଚ୍ଚ ପଦ ପାଇଁ ହ୍ୱିପ୍ ନଥାଏ, ଜଣେ ଓଡ଼ିଆ ଲୋକ ହୋଇଥିବାରୁ ନିଜ ବିବେକ ଦୃଷ୍ଟିରୁ ଏବଂ ବହୁ ଓଡ଼ିଆଙ୍କ ଅନୁରୋଧ ରକ୍ଷା କରି ସେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇ ଥିବା ମୋକିମ କହିଥିଲେ ।