ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ କେନ୍ଦ୍ରୀଭୂତ ଅବପାତ ବାତ୍ୟାର ରୂପ ନେଇଛି । ଯାହାର ନାଁ ରଖାଯାଇଛି ଡିଟୱା । ତାମିଲନାଡ଼ୁର ଚେନ୍ନାଇ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରାଯାଇଛି । ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପ୍ରଭାବ ପକାଇବ ନାହିଁ ।
ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି । ଏହା ଶ୍ରୀଲଙ୍କା ଉପକୂଳରେ ସମାନ୍ତରାଳଭାବେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଏହା ତାମିଲନାଡ଼ୁ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବା ପରେ ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଏହି ସମୟରେ ତାମିଲନାଡ଼ୁ ଏବଂ ଦକ୍ଷିଣ ଆନ୍ଧ୍ର ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ପ୍ରାୟ ୬୦ରୁ ୭୦ କିଲୋମିଟର ଘଣ୍ଟା ପ୍ରତି ରହିବ ।
ତେବେ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । କୌଣସି ବଡ଼ ବର୍ଷା ନ ଥିବା କୁହାଯାଇଛି । ବାତ୍ୟା ଡିଟୱାରେ ପ୍ରଭାବରେ ଡିସେମ୍ବର ୧ ଏବଂ ୨ ତାରିଖରେ ଓଡ଼ିଶା ଆକାଶ ଆଂଶିକ ମେଘୁଆ ରହିବ । କେବଳ ଦକ୍ଷିଣବର୍ତ୍ତୀ ଜିଲ୍ଲା ମାଲକାନଗିରି ଏବଂ କୋରାପୁଟରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।