ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଗୁରୁବାର ନାଗପୁରରେ ଖେଳାଯିବ। ପ୍ରଥମ ଦିନିକିଆ ପାଇଁ ଇଂଲଣ୍ଡ ତାର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଦୀର୍ଘ ୧୫ ମାସ ପରେ ତାରକା ବ୍ୟାଟର ଜୋ ରୁଟ୍ ଦିନିକିଆ ଦଳକୁ ଫେରିଛନ୍ତି। ରୁଟ୍ ନିଜର ଶେଷ ଦିନିକିଆ ୨୦୨୩ ବିଶ୍ଵକପ୍ରେ ଖେଳିଥିଲେ। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଏହି ସିରିଜ୍ ଭାରତ ଓ ଇଂଲଣ୍ଡ ପାଇଁ ବେଶ ଗୁରୁତ୍ୱବହନ କରୁଛି ।
ଜୋସ୍ ବଟଲରଙ୍କ ନେତୃତ୍ଵାଧୀନ ଇଂଲଣ୍ଡ ଟି-୨୦ ସିରିଜ୍ରେ ଭାରତଠୁ ୧-୪ରେ ପରାଜିତ ହେବା ପରେ ଦଳ ଏବେ ଦିନିକିଆରେ ନିଜର ପ୍ରଦର୍ଶନ ସୁଧାରି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ମନୋବଳ ଦୃଢ କରିବାକୁ ଲକ୍ଷ୍ୟ ରଖିଛି । ଟି-୨୦ ପରି ଦିନିକିଆରେ ବି ବେନ ଡକେଟ୍ ଓ ଫିଲିପ୍ ସଲଟ୍ ଇନିଂସ ଓପନ କରିବେ। ରୁଟ୍ ନିଜର ପୁରୁଣା ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରିବେ। ହ୍ୟାରି ବ୍ରୁକ ଚତୁର୍ଥ, ଅଧିନାୟକ ବଟଲର ପଞ୍ଚମ ନମ୍ବରରେ ବ୍ୟାଟିଂ କରିବେ।
ଏହା ପରେ ଅଲରାଉଣ୍ଡର ଲିୟାମ ଲିଭିଙ୍ଗଷ୍ଟୋନ ଷଷ୍ଠ ଓ ଜ୍ୟାକବ ବେଥେଲ ସପ୍ତମ କ୍ରମରେ ବ୍ୟାଟିଂ କରି ପାରନ୍ତି । ଦ୍ରୁତ ବୋଲର ଭାବେ ଜୋଫ୍ରା ଆର୍ଚର, ବ୍ରାୟଡନ କର୍ସ ଓ ସାକିବ ମେହମୁଦଙ୍କୁ ଇଂଲଣ୍ଡ ଚୟନ କରିଛି। ସ୍ପିନର ଭାବେ ଅନୁଭବୀ ଆଦିଲ ରଶିଦ ନିଜର ସ୍ଥାନ ବଜାୟ ରଖିଛନ୍ତି ।
ବଟଲର ମ୍ୟାଚ୍ ପୂର୍ବ ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରୁଟ୍ ଏହି ଖେଳର ମହାନ ଖେଳାଳିଙ୍କ ମଧ୍ୟରୁ ଏକ ଏବଂ ସେ ସବୁ ଫର୍ମାଟ୍ରେ ଭଲ ପ୍ରଦର୍ଶନ କରିଛନ୍ତି। ସେ ଦୀର୍ଘ ସମୟରୁ ଇଂଲଣ୍ଡ ଦିନିକିଆ ଦଳର ମହତ୍ଵପୂର୍ଣ୍ଣ ଖେଳାଳି। ତାଙ୍କର ଦିନିକିଆ କ୍ରିକେଟ୍ରେ ଖେଳିବାର ବ୍ୟାପକ ଅନୁଭବ ରହିଛି, ଯାହାର ଫାଇଦା ଦଳରେ ଥିବା କମ ଅନୁଭବ ଖେଳାଳିଙ୍କୁ ମିଳିବ।
ପ୍ରଥମ ଦିନିକିଆ ପାଇଁ ଇଂଲଣ୍ଡର ଚୂଡାନ୍ତ ଏକାଦଶ
ବେନ ଡକେଟ, ଫିଲିପ୍ ସଲ୍ଟ(ଓ୍ଵିକେଟ୍ କିପର), ଜୋ ରୁଟ୍, ହ୍ୟାରି ବ୍ରୁକ, ଜୋସ ବଟଲର, ଲିୟାମ ଲିଭିଙ୍ଗଷ୍ଟୋନ, ଜ୍ୟାକବ ବେଥେଲ, ବ୍ରାୟଡନ କର୍ସ, ଆଦିଲ ରଶିଦ, ଜୋଫ୍ରା ଆର୍ଚର, ସାକିବ ମେହମୁଦ।