ନୂଆଦିଲ୍ଲୀ: କାଶ୍ମୀର ସମେତ ଭାରତ ସହିତ ସବୁ ପ୍ରସଙ୍ଗରେ ଆଲୋଚନା କରି ସମାଧାନ ଚାହୁଁଛି ପାକିସ୍ତାନ । ବୁଧବାର ଏହା କହିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ଏଥିସହ ସେ କାଶ୍ମୀର ଲୋକଙ୍କ ପ୍ରତି ଅତୁଟ ସମର୍ଥନ ଦୋହରାଇଛନ୍ତି । ଶେହବାଜ ସରିଫ କାଶ୍ମୀରର ଏକଜୁଟତା ଦିବସ ଉପଲକ୍ଷେ ମୁଜଫରାବାଦରେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଛନ୍ତି ଶେହବାଜ ସରିଫ । ଏହ ଦିବସ କାଶ୍ମୀରୀଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିବା ପାଇଁ ପାକିସ୍ତାନ ପକ୍ଷରୁ ପ୍ରତି ବର୍ଷ ପାଳନ କରାଯାଏ ।
ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ କାଶ୍ମୀର ସହିତ ସମସ୍ତ ପ୍ରସଙ୍ଗର ଆଲୋଚନା ଜରିଆରେ ସମାଧାନ ଚାହୁଁଛୁ । ସେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରାଯିବା ପ୍ରସଙ୍ଗରେ କହିଛନ୍ତି ଯେ, ଭାରତକୁ ୨୦୧୯ ଅଗଷ୍ଟ ୫ ତାରିଖର ଚିନ୍ତାଧାରାରୁ ବାହାରିବା ଉଚିତ୍ ଓ ମିଳିତ ଜାତିସଂଘକୁ ଦେଇଥିବା ପ୍ରତିଶ୍ରୁତିର ପାଳନ କରିବା ଉଚିତ୍ ଏବଂ ଆଲୋଚନା ଆରମ୍ଭ କରିବା ଉଚିତ୍ ।
ଶେହବାଜ ସରିଫ କହିଛନ୍ତି, ଭାରତ ବାରମ୍ବାର କହୁଛି ସେ ପାକିସ୍ତାନ ସହିତ ଆତଙ୍କ, ଶତ୍ରୁତା ଓ ହିଂସାରୁ ମୁକ୍ତ ବାତାବରଣରେ ସାଧାରଣ ପଡୋଶୀ ଭାବେ ସମ୍ବନ୍ଧ ଚାହୁଁଛି । ଭାରତ ପାକିସ୍ତାନକୁ ବାରମ୍ବାର କହି ଆସିଛି ଯେ, କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀର ଓ ଲଦାଖ ସର୍ବଦା ଆମ ଦେଶର ଅଭିନ୍ନ ଅଙ୍ଗ ଥିଲା ଏବଂ ରହିବ ।
ଏହି ସମୟରେ ଶେହବାଜ ଭାରତ ଉପରେ ଅସ୍ତ୍ର ଶସ୍ତ୍ର ଜମା କରିବାର ଆରୋପ ଲଗାଇଛନ୍ତି । ସେ କହିଛନ୍ତି ଅସ୍ତ୍ରଶସ୍ତ୍ର ଠୁଳ କଲେ ଶାନ୍ତି ଫେରିବ ନାହିଁ ଏବଂ ଏହି ଅଞ୍ଚଳର ଲୋକଙ୍କ ଭାଗ୍ୟ ବଦଳିବ ନାହିଁ । ପାକିସ୍ତାନ କାଶ୍ମୀରୀଙ୍କୁ ତାଙ୍କର ଆତ୍ମନିର୍ଣ୍ଣୟର ଅଧିକାର ପ୍ରାପ୍ତି ପର୍ଯ୍ୟପ୍ତ ନୈତିକ, କୂଟନୈତିଜ୍ଞ ଓ ରାଜନୈତିକ ସମର୍ଥନ ଜାରି ରଖିବ ।