ନୂଆଦିଲ୍ଲୀ: ମହିଳା ବିଶ୍ୱକପ ୨୦୨୫ର ଫାଇନାଲ୍ ମ୍ୟାଚ୍ ଆସନ୍ତାକାଲି ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ । ଟାଇଟଲ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ତେବେ ଫାଇନାଲରେ ବର୍ଷା ହେବାର ଆଶଙ୍କା ରହିଛି । ମହାରାଷ୍ଟ୍ର ପାଇଁ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି । ଏଥିରେ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆଇସିସି ଫାଇନାଲ୍ ପାଇଁ ରିଜର୍ଭ ଡେ ରଖିଛି । ଯଦି ରିଜର୍ଭ ଡେରେ ବର୍ଷା ହୁଏ ତେବେ ଟ୍ରଫି କିଏ ଜିତିବ ? ଏମିତି ସ୍ଥିତିରେ କଣ କହୁଛି ଆଇସିସି ନିୟମ ।
ଭାରତ ସେମି ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ୭ ଥରର ବିଶ୍ୱ ଚାମ୍ପିଅନ ଅଷ୍ଟ୍ରେଲିଆ ବିପକ୍ଷରେ ଜେମିମା ରଡ୍ରିଗସ ୧୨୭ ରନର ଅପରାଜିତ ଇନିଂସ ଖେଳି ଭାରତକୁ ଫାଇନାଲରେ ପହଞ୍ଚାଇଛନ୍ତି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପ୍ରଥମ ସେମିରେ ଇଂଲଣ୍ଡକୁ ହରାଇ ପ୍ରଥମ ଦଳ ଭାବେ ଚଳିତ ବିଶ୍ୱକପରେ ଫାଇନାଲରେ ପ୍ରବେଶ କରିଥିଲା ।
ଏହା ସହ ଏଥର କ୍ରିକେଟ୍ ଦୁନିଆକୁ ମିଳିବ ନୂଆ ଚାମ୍ପିଅନ । କାରଣ ଭାରତ ଓ ଦକ୍ଷିଣ ଆଫ୍ରିକା ଏହା ପୂର୍ବରୁ କେବେ ବି ଦିନିକିଆ ବିଶ୍ୱକପ୍ ଜିତି ନାହାନ୍ତି । ଭାରତ ତୃତୀୟ ଥର ଫାଇନାଲରେ ପହଞ୍ଚିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଟାଇଟଲ୍ ମୁକାବିଲା ଖେଳିବାକୁ ଯାଉଛି ।
ଋବିବାର ଫାଇନାଲ୍ ମୁକାବିଲା ଅପରାହ୍ଣ ୩ଟାରେ ଖେଳାଯିବ । ତେବେ ପାଣିପାଗ ବିଭାଗ ଅନୁସାରେ ମ୍ୟାଚ୍ ସମୟରେ ୬୩ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ସନ୍ଧ୍ୟା ୪ଟାରୁ ୭ଟା ପର୍ଯ୍ୟନ୍ତ ୫୦ ପ୍ରତିଶତ ସମ୍ଭାବନା ରହିଛି । ଏହା ପୂର୍ବରୁ ଏହି ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଲିଗ୍ ମୁକାବିଲା ବର୍ଷା କାରଣରୁ ରଦ୍ଦ ହୋଇଥିଲା ।
ଯଦି ରବିବାର ମ୍ୟାଚ୍ ସମ୍ଭବ ନ ହେଲା ତେବେ ସୋମବାର ରିଜର୍ଭ ଡେରେ ମ୍ୟାଚ୍ ଖେଲାଯିବ । ତେବେ ସୋମବାର ମଧ୍ୟ ୫୫ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ଦୁଇ ଦିନ ବର୍ଷା ଯୋଗୁଁ ଖେଳ ନ ହୁଏ ତେବେ କିଏ ବିଜେତା ହେବ । ତେବେ ଆଇସିସି ନିୟମ ଅନୁସାରେ ଭାରତ ଓ ଦକ୍ଷିଣ ଆଫ୍ରିକାକୁ ଯୁଗ୍ମ ବିଜେତା ଘୋଷିତ କରାଯିବ ।
Also read: ହସ୍ପିଟାଲରୁ ଡିସଚାର୍ଜ ହେଲେ ଶ୍ରେୟସ ଆୟର, କେବେ ଦଳକୁ ଫେରିବେ ଅପଡେଟ୍ ଦେଲା ବିସିସିଆଇ