ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ତାରକା ବ୍ୟାଟର ତଥା ଦିନିକିଆ ଦଳର ଉପଅଧିନାୟକ ଶ୍ରେୟସ ଆୟର ସିଡନୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହାକୁ ନେଇ ଶନିବାର ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ସେ କ୍ରିକେଟରୁ ଦୂରେଇ ରହିବେ । ଆଗକୁ ଆହୁରି ଯାଞ୍ଚ ପାଇଁ ଶ୍ରେୟସଙ୍କୁ ସିଡନୀରେ ହିଁ ରହିବାକୁ ପଡିବ । ଫିଟ୍ ହେବା ପରେ ହିଁ ସେ ସ୍ୱଦେଶ ଫେରିବେ । ଶ୍ରେୟସଙ୍କୁ ଅକ୍ଟୋବର ୨୫ରେ ଅଷ୍ଟ୍ରେଲିଆ ବିପକ୍ଷ ୩ୟ ଦିନିକିଆରେ ଫିଲ୍ଡିଂ କରିବା ସମୟରେ ଆଘାତ ଲାଗିଥିଲା ।
ବିସିସିଆଇ ନିଜର ପ୍ରେସ ବିବୃତିରେ କହିଛି ଯେ, ଅକ୍ଟୋବର ୨୫ରେ ତୃତୀୟ ଦିନିକିଆରେ ଫିଲ୍ଡିଂ କରିବା ସମୟରେ ତାଙ୍କ ଛାତିର ପିଞ୍ଜରା ହାଡରେ ଆଘାତ ଲାଗିଥିଲା । ଏହା ସହ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିଲା । ତୁରନ୍ତ ତାଙ୍କୁ ସିଡନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କର ରକ୍ତସ୍ରାବ ବନ୍ଦ ହୋଇଥିଲା । ତାଙ୍କର ଜରୁରୀ ଆବଶ୍ୟକୀୟ ଚିକିତ୍ସା କରାଯାଇଛି ।
ଏବେ ତାଙ୍କର ସ୍ଥିତି ସ୍ଥିର ରହିଛି ଏବଂ ସେ ଭଲ ଭାବେ ସୁସ୍ଥ ହେଉଛନ୍ତି । ସିଡନୀ ଏବଂ ଭାରତର ବିଶେଷଜ୍ଞଙ୍କ ସହ ବିସିସିଆଇର ମେଡିକାଲ ଟିମ ତାଙ୍କ ସ୍ୱାସ୍ଥ୍ୟର ଅଗ୍ରଗତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ସହ ଆଜି ତାଙ୍କ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଆଗାମୀ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଶ୍ରେୟସଙ୍କୁ ଆଉ କିଛି ଦିନ ସିଡନୀରେ ରହିବାକୁ ପଡିବ । ଡାକ୍ତରଙ୍କ ଦ୍ୱାରା ସଂପୂର୍ଣ୍ଣ ସୁସ୍ଥ ଘୋଷିତ ହେବା ପରେ ସେ ସ୍ୱଦେଶ ଫେରିବେ ବୋଲି ବିସିସିଆଇ ସୂଚନା ଦେଇଛି ।
ଋିପୋର୍ଟ ଅନୁଯାୟୀ, ଏହି ଆଘାତ କାରଣରୁ ଶ୍ରେୟସଙ୍କୁ ଦୀର୍ଘ ଦିନ କ୍ରିକେଟରୁ ଦୂରେଇ ରହିବାକୁ ପଡିପାରେ । ଏପରିିକି ସେ ଟି-୨୦ ବିଶ୍ୱକପ୍ ୨୦୨୬ର ଦୌଡରୁ ବି ବାଦ୍ ପଡି ପାରନ୍ତି । ଆଶା କରାଯାଉଛି ସେ ଆଇପିଏଲ ଜରିଆରେ ପେଶାଦାର କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି ।