ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସ୍ଥିତି ମଜବୁତ ରହିଛି । ବୋଲରଙ୍କ କମାଲ ପରେ ବ୍ୟାଟର ମଧ୍ୟ ନିଜର ଦମ ଦେଖାଇଛନ୍ତି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ୍ ହରାଇ ୪୪୮ ରନ କରିଛି । ଦଳ ଭ୍ରମଣକାରୀ ଦଳ ବିରୋଧରେ ୨୮୬ ରନ ଅଗ୍ରଣୀ ହାସଲ କରିଛି । ଦ୍ୱିତୀୟ ଦିନରେ କେଏଲ ରାହୁଲ, ଧ୍ରୁବ ଜୁରେଲ ଓ ରବୀନ୍ଦ୍ର ଜାଡେଜା ଶତକ ହାସଲ କରିଛନ୍ତି । ଜାଡେଜା ୧୦୪ ରନ ଏବଂ ୱାଶିଂଟନ ସୁନ୍ଦର ୯ ରନ କରି ଅପରାଜିତ ଅଛନ୍ତି ।
ଆଜି ଦ୍ୱିତୀୟ ଦିନରେ ବ୍ୟାଟର ଶୋ ଦେଖିବାକୁ ମିଳିଛି । ଆଜି ଅଧିନାୟକ ଶୁଭମନ ଗିଲ୍ ଠିକ୍ ୫୦ ରନ କରି ଆଉଟ୍ ହୋଇଥିଲେ । ରାହୁଲ ଓ ଗିଲ୍ ତୃତୀୟ ୱିକେଟ୍ ପାଇଁ ୯୮ ରନ ଯୋଡିଥିଲେ । କେଏଲ ରାହୁଲ ଚମତ୍କାର ବ୍ୟାଟିଂ କରି ନିଜ କ୍ୟାରିୟରର ୧୧ତମ ଶତକ ହାସଲ କରିଥିଲେ । ସେ ୧୨ ଚୌକା ସହ ୧୦୦ ରନ କରିଥିଲେ । ତାଙ୍କ ଆଉଟ୍ ପରେ ଧ୍ରୁବ ଜୁରେଲ ଓ ରବୀନ୍ଦ୍ର ଜାଡେଜା ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ । ଦୁହେଁ ଇଣ୍ଡିଜ ବୋଲରଙ୍କୁ ଧୁଲେଇ କରି ନିଜ ନିଜର ଶତକ ପୂରା କରିଥିଲେ । ଉଭୟ ପଞ୍ଚମ ଭାଗିଦାରୀରେ ୨୦୬ ରନ ଯୋଡିଥିଲେ । ୪୨୪ ରନ ସ୍କୋରରେ ଜୁରେଲ ୧୫ ଚୌକା ଓ ୩ ଛକା ସହ ୧୨୫ ରନର ଦମଦାର ଶତକୀୟ ଇନିଂସ ଖେଳି ପାଭିଲିୟନ ଫେରିଥିଲେ ।
ଏହି ପରି ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ୍ ହରାଇ ୪୪୮ ରନ କରିଛି । ଦଳ ହାତରେ ୫ ୱିକେଟ୍ ଥିବା ବେଳେ ଇଣ୍ଡିଜଠୁ ୨୮୬ ରନ ଆଗୁଆ ରହିଛି । ଏହା ପୂର୍ବରୁ ଇଣ୍ଡିଜ ୧୬୨ ରନରେ ଅଲଆଉଟ୍ ହୋଇଥିଲା । ଦଳର ଜଣେ ହେଲେ ବ୍ୟାଟର ଅର୍ଦ୍ଧଶତକ ହାସଲ କରି ପାରି ନ ଥିଲେ । ବୋଲିଂରେ ଭାରତ ପକ୍ଷରୁ ସିରାଜ ୪, ବୁମରା ୩, କୁଲଦୀପ ୨ ଓ ୱାଶିଂଟନ ସୁନ୍ଦର ଗୋଟିଏ ୱିକେଟ୍ ନେଇଥିଲେ ।
Also read: ୯ ବର୍ଷ ପରେ ଘରେ ଶତକ ମାରିଲେ କେଏଲ ରାହୁଲ, ଭାରତର ସ୍ଥିତି ମଜବୁତ