ଭୁବନେଶ୍ୱର: ଭରତପୁର ଥାନା ମାମଲାରେ ରାଜନୈତିକ ବୟାନବାଜି ଜାରି ରହିଛି । ବିଜେଡ଼ି ସରକାରଙ୍କୁ ଉପରେ ବାରମ୍ବାର ଦୋଷାରୋପ କରୁଥିବାବେଳେ ସରକାର ଦିନକ ପରେ ଦିନେ ସମସ୍ତ ପ୍ରକାର ସମ୍ଭବ ପଦକ୍ଷେପ ଗ୍ରହଣ କରି ବିରୋଧୀଙ୍କ ମୁହଁ ବନ୍ଦ କରୁଛନ୍ତି । ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ପରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମାମଲାରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ଗ୍ରହଣ କରିଥିବାବେଳେ ଏକା ସମୟରେ ଗୋଟିଏ ମାମଲାର ଦୁଇ ଦୁଇଟି ତଦନ୍ତ ହେବା ଭାରତରେ ପ୍ରଥମ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଗୋଟିଏ ପଟେ ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଆମେ ପୂର୍ବରୁ ସଂକଳ୍ପ ପତ୍ରରେ କହିଥିଲୁ ନାରୀ ସୁରକ୍ଷା ନେଇ ଯେତେବେଳେ ପ୍ରଶ୍ନ ଉଠିବ ସେତେବେଳେ ଶୂନ୍ୟ ସହନଶୀଳତା ନୀତି ଆପଣାଯିବ । ଯାହା ସରକାର କରିଛନ୍ତି । ଏଥି ସହିତ ୬୦ ଦିନ ଭିତରେ କିଭଳି ପୀଡିତା ନ୍ୟାୟ ପାଇବେ ସେନେଇ ମଧ୍ୟ ପଦକ୍ଷେପ ନିଆଯିବ । ଉଭୟ କ୍ରାଇମବ୍ରାଞ୍ଚ ଓ ନ୍ୟାୟିକ ବିଭାଗ ଏହାର ତ୍ଵରିତ ବିଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସରକାର ନିଷ୍ପତ୍ତି ନେବା ପରେ ସେନା ଅଧିକାରୀଙ୍କୁ ଜଣାଇ ଦିଆଯାଇଥିଲା ।
ତେବେ ଏହି ପରିପ୍ରେକ୍ଷୀରେ ଆଜି ବିରୋଧୀ ବିଜେଡ଼ି ଉପରେ ଖୁବ୍ ବର୍ଷିଛନ୍ତି ଆଇନମନ୍ତ୍ରୀ । ବିରୋଧୀ ଯେଉଁଭଳି ଆଭିମୁଖ୍ୟ ଗ୍ରହଣ କରିଛି ତାହାକୁ କଡ଼ା ସମାଲୋଚନା କରିଛନ୍ତି । ସେ ଆହୁରି ମୁହଁରେ ଲାଜ ନଥିଲେ ଏଭଳି କାମ କରନ୍ତି । ୨୪ ବର୍ଷର ବିଜେଡ଼ି ସରକାରରେ ଏଭଳି ଅନେକ ଘଟଣା ଘଟିଛି । ଇତିଶ୍ରୀ, ବେବିନା, ମାଧବୀ ଲତାଙ୍କ ଠାରୁ ଆରମ୍ଭ କରି ଅନେକ ଘଟଣା ରହିଛି । ହେଲେ ଆଜି ଯାଏଁ ନ୍ୟାୟ ମିଳିନି । ମାହାଙ୍ଗା ମର୍ଡର ଠାରୁ ଆରମ୍ଭ କରି ମହିଳା ଅତ୍ୟାଚାର ପର୍ଯ୍ୟନ୍ତ, ସବୁଥିରେ ଦୋଷୀଙ୍କୁ ଘଣ୍ଟ ଘୋଡାଇବାର ଦାୟିତ୍ୱ ନେଇ ଥିଲେ ପୂର୍ବ ସରକାର । ଆଜି ଯେଉଁଭଳି ଭାବରେ ପ୍ରତିକ୍ରିୟା ଦେଖାଉଛନ୍ତି, ଯଦି ଶାସନ ବ୍ୟବସ୍ଥାରେ ଥିବା ବେଳେ ଏପରି ଘଟଣାରେ ୫ ପ୍ରତିଶତ ବି ଦୃଷ୍ଟି ଦେଇଥାନ୍ତା ତା ହେଲେ ଏଭଳି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା ବୋଲି କହିଛନ୍ତି ମନ୍ତ୍ରୀ ।
ଅନ୍ୟପକ୍ଷରେ ବିଜେଡ଼ି ମଧ୍ୟ ଏହାର ଜବାବ ରଖିଛି । ବିଜେଡ଼ି ମୁଖ ପାତ୍ର ଲେନିନ ମହାନ୍ତି କହିଛନ୍ତି ଆଇନଶୃଙ୍ଖଳା ପରିସ୍ଥିତିର ଯେଉଁ ଦୋଷ ଦେଉଛନ୍ତି ମନ୍ତ୍ରୀ ତାହା ହାସ୍ୟାସ୍ପଦ ଅଟେ । ଏହା ସହିତ ତଦନ୍ତ ଠିକ୍ ଭାବରେ ଯିବ ବୋଲି ସେ ଆଶା ରଖିଛନ୍ତି ।