ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ପ୍ରମୁଖ ମହୋନ ଭାଗବତଙ୍କୁ ଚିଠି ଲେଖିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବସର ସହିତ ୫ ପ୍ରସଙ୍ଗ ଉଠାଇ ଏହାର ଉତ୍ତର ଦେବାକୁ ଅପିଲ୍ କରିଛନ୍ତି । କେଜ୍ରିୱାଲ ନିଜ ଚିଠିରେ କହିଛନ୍ତି, ମୁଁ ଜଣେ ରାଜନୈତିକ ବ୍ୟକ୍ତି ବିଶେଷ ହିସାବରେ ନୁହେଁ ବରଂ ଜଣେ ସାଧାରଣ ନାଗରିକ ହିସାବରେ ଆପଣଙ୍କୁ ଏହି ଚିଠି ଲେଖିଛି । ଆଶା କରୁଛି ଆପଣ ଏହାର ଜବାବ ଦେବେ ।
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଦେଶର ସାଂପ୍ରତିକ ସ୍ଥିତିକୁ ନେଇ ଚିନ୍ତିତ । ଯେଉଁ ଦିଗରେ ବିଜେପିର କେନ୍ଦ୍ର ସରକାର ଦେଶ ଓ ଦେଶର ରାଜନୀତିକୁ ନେଇ ଯାଉଛନ୍ତି ଏହା ସଭିଙ୍କ ପାଇଁ ହାନୀକାରକ । ଯଦି ଏମିତି ଜାରି ରହେ ତେବେ ଆମର ଗଣତନ୍ତ୍ର ସମାପ୍ତ ହୋଇଯିବ । ପାର୍ଟି ତ ଆସିବେ ଯିବେ, ନିର୍ବାଚନ ତ ଏମିତି ଚାଲିଥିବ, ନେତା ବି ଆସିବେ ଯିବେ ମାତ୍ର ଭାରତ ଦେଶ ସର୍ବଦା ରହିଥିବ । ଏହି ଦେଶର ତ୍ରିରଙ୍ଗା ଆକାଶରେ ଗର୍ବର ସହ ସବୁ ଦିନ ପାଇଁ ଉଡି ଚାଲିବ । ଏହା ସୁନିଶ୍ଚିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ ।
କେଜ୍ରିୱାଲ କହିଛନ୍ତି, ତାଙ୍କର ଉଦ୍ଦେଶ୍ୟ କେବଳ ଭାରତୀୟ ଗଣତନ୍ତ୍ରକୁ ବଞ୍ଚାଇବା ଏବଂ ମଜବୁତ କରିବା ରହିଛି । ଯେଉଁ ପ୍ରଶ୍ନ ମୁଁ ଆପଣଙ୍କୁ ପଚାରୁଛି ତାହା ଜନତାଙ୍କ ମନରେ ମଧ୍ୟ ଉଙ୍କି ମାରୁଛି । ଲୋଭ ଓ ଇଡି-ସିବିଆଇର ଧମକ ଦିଆଯାଇ ଅନ୍ୟ ପାର୍ଟିର ନେତାମାନଙ୍କୁ ବିଜେପି ନିଜ ଆଡକୁ ଟାଣୁଛି । ରାଜ୍ୟଗୁଡିକରେ ସରକାରକୁ ଭାଙ୍ଗି ଦିଆଯାଉଛି । କଣ ବେଇମାନି କରି କ୍ଷମତା ହାସଲ କରିବା ଆପଣଙ୍କୁ କିମ୍ବା ଆରଏସଏସକୁ ମଞ୍ଜୁର ।
ଆପ୍ ସଂଯୋଜକ କହିଛନ୍ତି, ଖୋଦ୍ ପ୍ରଧାନମନ୍ତ୍ରୀ ଓ ଅମିତ ଶାହ ଯେଉଁ ନେତାଙ୍କୁ ଦୁର୍ନୀତିଗ୍ରସ୍ତ କହୁଛନ୍ତି କିଛି ଦିନ ପରେ ସେମାନଙ୍କୁ ନିଜ ପାର୍ଟିରେ ସାମିଲ କରାଇ ନେଉଛନ୍ତି । କଣ ଆପଣ କିମ୍ବା ଆରଏସଏସ କାର୍ୟ୍ୟକର୍ତ୍ତା ଏମିତି ବିଜେପିର କଳ୍ପନା କରିଥିଲେ ? କଣ ଏହି ସବୁ ଦେଖି ଆପଣଙ୍କୁ କଷ୍ଟ ହେଉନି? କଣ ଆପଣ ଏହି ସବୁ କରିବାକୁ କେବେ ପ୍ରଧାନମନ୍ତ୍ରୀ ମନା କରିଛନ୍ତି କି ? ଆରଏସଏସର ଦାୟିତ୍ୱ ବିଜେପି ପଥ ଭ୍ରଷ୍ଟ ହେଲେ ତାକୁ ସଠିକ୍ ରାସ୍ତାକୁ ଆଣିବା ।