ଭୁବନେଶ୍ୱର: ବିଜୁ ଜନତା ଦଳରେ ଅନ୍ୟ ଦଳର କର୍ମୀଙ୍କୁ ନେଇ ଝଡ଼ ସୃଷ୍ଟି ହୋଇଛି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡାଙ୍କ ବିରୋଧରେ ଉଠିଛି ବିରୋଧର ସ୍ୱର । ଦଳୀୟ ବୈଠକରେ ଅନ୍ୟ ଦଳର କର୍ମୀଙ୍କୁ ସାମିଲ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି ଦଳର ଦୁଇ କର୍ପୋରେଟର ଅମରେଶ ଜେନା ଏବଂ ବିରଞ୍ଚି ନାରାୟଣ ମହାସୂପକାର । ଏ ନେଇ ଦଳୀୟ ମୁଖିଆଙ୍କୁ ଅବଗତ କରାଯିବ ବୋଲି ଦୁଇ ନେତା କହିଛନ୍ତି ।
ଗତକାଲି ଶଙ୍ଖ ଭବନରେ ଦଳର ବୈଠକ ବସିଥିଲା । ଏହି ସମୟରେ ରାଜେଶ ପାତ୍ର ନାମକ ଜଣେ ବ୍ୟକ୍ତି ଆସିଥିଲେ । ଯାହାକୁ ନେଇ ବୈଠକରେ ହଙ୍ଗାମା ହୋଇଥିଲା । ସମ୍ପୃକ୍ତ ବ୍ୟକ୍ତି ବିଜେପି ଦଳୀୟ କର୍ମୀ ବୋଲି ଅଭିଯୋଗ ହୋଇଥିଲା । ଏହା ପରେ ଯୁକ୍ତି ତର୍କ ହୋଇଥିଲା । ଅଶୋକ ପଣ୍ତାଙ୍କ ବିରୋଧରେ ଦୁଇ କର୍ପୋରେଟର ଅମରେଶ ଜେନା ଏବଂ ବିରଞ୍ଚି ନାରାୟଣ ମହାସୂପକାର ବାହାରିଥିଲେ । କାହିଁକି ଅନ୍ୟ ଦଳର କର୍ମୀଙ୍କୁ ଦଳୀୟ ବୈଠକରେ ସାମିଲ କରାଯାଇଛି ତାକୁ ନେଇ ବିରୋଧ କରିଥିଲେ । ମାତ୍ର ଶ୍ରୀଯୁକ୍ତ ପଣ୍ଡା ରାଜେଶ ପାତ୍ରଙ୍କୁ ସମର୍ଥନ କରିଥିଲେ ।
ତେବେ ଏ ନେଇ ଦୁଇ ଜଣ କର୍ପୋରେଟର ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଶୋକଙ୍କ ବିରୋଧରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯିବା । ସେ ଉଚିତ ପଦକ୍ଷେପ ନେବେ ବୋଲି ଅମରେଶ କହିଛନ୍ତି । ସେହିପରି ଦଳର ବିରୋଧରେ ନୁହେଁ ବରଂ ଦଳର ଶୃଙ୍ଖଳିତ କର୍ମୀ ହିସାବରେ ଏ ବିରୋଧ କରାଯାଉଛି ବୋଲି ବିରଞ୍ଚି କହିଛନ୍ତି ।