ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କଂଗ୍ରେସ ସରକାର ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ରାସ୍ତାକୁ ଅନୁକରଣ କରିଛି । ଉତ୍ତର ପ୍ରଦେଶ ଭଲି ହିମାଚଳ ପ୍ରଦେଶରେ ସବୁ ଦୋକାନରେ ନାମ ଫଳକ ଏବଂ ପରିଚୟ ଲେଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ବୁଧବାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ରେସ୍ତୋରାଁ ଏବଂ ଠେଲା ଗାଡ଼ି ସମ୍ମୁଖରେ ବ୍ୟବସାୟୀମାନେ ନିଜର ପରିଚୟ ଲେଖିବାକୁ ବାଧ୍ୟତାମୂଳକ ଅଟେ । ଫଳରେ ଲୋକମାନଙ୍କ ମନରେ ଆଉ ଦ୍ୱନ୍ଦ ରହିବ ନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ କହିଛନ୍ତି ।
ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି କୁଲଦୀପ ସିଂହ ପଠାନିଆ ଶିଳ୍ପ ମନ୍ତ୍ରୀ ହର୍ଷବର୍ଦ୍ଦନ ଚୌହାନଙ୍କ ନେତୃତ୍ୱରେ ଗୋଟିଏ ୭ ଜଣିଆ କମିଟି ଗଠନ କରିଥିଲେ । ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବାକୁ କହିଥିଲେ । ଆଜି ସରକାର ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ପରିଚୟ ଓ ନାଁ ସାର୍ବଜନୀନ କରିବା ବାଧ୍ୟତାମୂଳକ କରିଛନ୍ତି ।
ନଗର ଉନ୍ନୟନ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ କହିଛନ୍ତି ଯେ “ଆମେ ନଗର ଉନ୍ନୟନ ବିଭାଗ ଓ ପୌରପାଳିକା ସହ ଗୋଟିଏ ବୈଠକ କରିଥିଲୁ । ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଭୋଜନାଳୟ ଏବଂ ଫାଷ୍ଟ ଫୁଡ୍ ଦୋକାନ ଗୁଡ଼ିକ ଆଗରେ ବ୍ୟବସାୟୀମାନେ ନିଜର ପରିଚୟ ଲେଖିବେ, ଯଦ୍ୱାରା ଲୋକଙ୍କୁ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନ ହେବାକୁ ପଡ଼େ । ନଗର ଉନ୍ନୟନ ଏବଂ ନଗର ନିଗମ ବୈଠକରେ ନିର୍ଦ୍ଦେଶ ଜାରି କରାଯାଇଛି । ସେ ଆହୁରି କହିଛନ୍ତି ଯେ ଲୋକମାନଙ୍କ ଚିନ୍ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଉତ୍ତର ପ୍ରଦେଶରେ ଲାଗୁ ହୋଇଥିବା ନୀତି ଭଳି ଆମେ ଏଠାରେ ମଧ୍ୟ ସମାନ ନିୟମ ଲାଗୁ କରିଛୁ। ”
ଏଠାରେ ଉଲ୍ଲେଖ ଯୋଗ୍ୟ, ଚଳିତ ବର୍ଷ ଶ୍ରାବଣ ମାସରେ ଯୋଗୀ ସରକାର ଉତ୍ତର ପ୍ରଦେଶରେ ସମସ୍ତ ଭୋଜନାଳୟରେ ନାମ ଫଳକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହାକୁ ତୀବ୍ର ବିରୋଧ କରାଯାଇଥିଲା । ସୁପ୍ରିମକୋର୍ଟ ମଧ୍ୟ ଏହା ଉପରେ ଶୁଣାଣି କରି ନାମ ଫଳକ ଲଗାଇବା ନିର୍ଦ୍ଦେଶ ଉପରେ ରୋକ ଲଗାଇଥିଲେ ।