ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ଜମି ଦୁର୍ନୀତି ମାମଲା ଚାଲିବ । ରାଜ୍ୟପାଳ ଏ ନେଇ ମଞ୍ଜୁରୀ ଦେଇଥିଲେ । ଏହାର ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସିଦ୍ଧରମୈୟା । ତେବେ ମଙ୍ଗଳବାର ଉଚ୍ଚ ନ୍ୟାୟାଳୟ ସିଦ୍ଧରମୈୟାଙ୍କ ଆବେଦନକୁ ଖାରଜ କରିଛନ୍ତି ଏବଂ ରାଜ୍ୟପାଳ ଦେଇଥିବା ମଞ୍ଜୁରୀକୁ ସଠିକ୍ ଦର୍ଶାଇଛନ୍ତି ।
ମହୀଶୂର ଅର୍ବାନ ଡେଭଲପମେଣ୍ଟ ଅଥରିଟି(ଏମୟୁଡିଏ)ର ପ୍ଲଟ ଆବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ସିଦ୍ଧରମୈୟା ବିରୋଧରେ ମାମଲା ଚଲାଇବା ପାଇଁ ରାଜ୍ୟପାଳ ଥାୱରଚନ୍ଦ ଗେହଲଟ ଅନୁମତି ଦେଇଥିଲେ । ଏହା ବିରୋଧରେ ସିଦ୍ଧରମୈୟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ ଏମ ନାଗପ୍ରସନ୍ନା କହିଛନ୍ତି, ରାଜ୍ୟପାଳଙ୍କ ପକ୍ଷରୁ କେସ୍ ଚଲାଇବା ପାଇଁ ଦିଆଯାଇଥିବା ମଞ୍ଜୁରୀ ଆଇନସଙ୍ଗତ ରହିଛି । ସାଧାରଣତଃ ରାଜ୍ୟପାଳ ମନ୍ତ୍ରୀ ପରିଷଦଙ୍କ ସୁପାରିଶ କ୍ରମେ ନିର୍ଣ୍ଣୟ ନେଇଥାନ୍ତି । ମାତ୍ର ସମ୍ବିଧାନ ତାଙ୍କୁ ବିଶେଷ ପରିସ୍ଥିତିରେ ନିଷ୍ପତ୍ତି ନେବା ପାଇଁ ଅଧିକାର ପ୍ରଦାନ କରିଛି ।
ଅଦାଲତ କହିଛନ୍ତି, ରାଜ୍ୟପାଳଙ୍କ ନିଷ୍ପତ୍ତିରେ କୌଣସି ଭୁଲ୍ ନାହିଁ । ଏହି ମାମଲାରେ ନିମ୍ନ ଅଦାଲତରେ ଶୁଣାଣି ମଧ୍ୟ ଚାଲିଛି । ତେବେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ନିମ୍ନ ଅଦାଲତଙ୍କ ରାୟ ପ୍ରଭାବଶୂନ୍ୟ ହୋଇ ଯାଇଛି । କୋର୍ଟଙ୍କ ରାୟ ପରେ ଏବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ମୁସ୍କିଲ ବଢିବାର ସମ୍ଭାବନା ରହିଛି । ଏହାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୀତି ଆହୁରି ବଢିବାର ସମ୍ଭାବନା ରହିଛି । ରାଜ୍ୟପାଳ ରାଜନୈତିକ ଉଦ୍ଦେଶ୍ୟ ରଖି ହଇରାଣ କରୁଥିବା କଂଗ୍ରେସ କହିଛି ।