ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ୪ ମାସ ପୁରିଗଲାଣି । ବିଜେପି, ବିଜେଡ଼ି ଏବଂ କଂଗ୍ରେସରେ ବହୁତ ନେତା ଦଳ ଅଦଳବଦଳ କଲେ । କିଏ ଟିକେଟ୍ ପାଇଁ ତ କିଏ ଆତ୍ମସମ୍ମାନ ପାଇଁ ଦଳ ଛାଡ଼ିଲେ । ରାଜ୍ୟ ରାଜନୀତିରେ ପାଣିପାଗ ଅନେକ ପରିବର୍ତ୍ତନ ହେଲା । ଏବେ ନିର୍ବାଟନ ଶେଷ ହେବା ପରେ ଧିରେ ଧିରେ ବିରୋଧୀ ବିଜେଡ଼ିର ଅସନ୍ତୁଷ୍ଟ ନେତା ସରକାରୀ ଦଳରେ ସାମିଲ ହେଉଛନ୍ତି । ବିଜେଡ଼ିର ଦୁଇ ଦୁଇ ଜଣ ରାଜ୍ୟସଭା ସାଂସଦ ସରକାରୀ ଦଳରେ ମଧ୍ୟ ଯୋଗ ଦେଇଛନ୍ତି । ତେବେ ଆଗକୁ ଏହି ସଂଖ୍ୟା ବଢ଼ିବ ବୋଲି ସାଂସଦ ସୁକାନ୍ତ ପାଣିଗ୍ରାହୀ । ସମସ୍ତେ ବିଜେପିର ବିକାଶ ଧାରାରେ ସାମିଲ ହେବାକୁ ଚାହୁଁଛନ୍ତି ବୋଲି ସୁକାନ୍ତ ପାଣିଗ୍ରାହୀ କହିଛନ୍ତି । ଯାହାର ଜବାବ ରଖିଛନ୍ତି ବିଜେଡ଼ି ନେତା ଦେବୀ ପ୍ରସାଦ ମିଶ୍ର ।
କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ଯେ ଆଗକୁ ରାଜ୍ୟ ରାଜନୀତିରେ ବଡ଼ ବଡ଼ ବିସ୍ଫୋରଣ ହେବାକୁ ଯାଉଛି । ବିଜେଡ଼ିର ବହୁ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ । କେବଳ ରାଜ୍ୟସଭା ସାଂସଦ ନୁହଁନ୍ତି ବରଂ ବହୁ ପଦାଧିକାରୀ ସଂପର୍କରେ ଅଛନ୍ତି । ରାଜ୍ୟରେ ଅନେକ ନେତା ବିଜେପିର ବିକାଶ ଧାରାରେ ସାମିଲ ହେବାକୁ ଯାଉଛନ୍ତି । ବିଧାୟକ ଓ ପୂର୍ବତନ ବିଧାୟକମାନେ ଯୋଗାଯୋଗରେ ଅଛନ୍ତି । ମାସେ ଦେଢ଼ମାସରେ ଇସ୍ତଫା ଦେଇ ବିଜେପିରେ ମିଶିବେ ବୋଲି ସୁକାନ୍ତ ଦୃଢୋକ୍ତି କରିଛନ୍ତି । କିନ୍ତୁ ଯେଉଁମାନଙ୍କ ନାମରେ କଳା ଦାଗ ରହିଛି ସେମାନଙ୍କୁ ସ୍ୱାଗତ କରାଯିବ ନାହିଁ । ସ୍ୱଚ୍ଛ ଭାବମୂର୍ତ୍ତି ରଖିଥିବା ନେତାଙ୍କୁ ଦଳରେ ସାମିଲ କରାଯିବ ବୋଲି ସୁକାନ୍ତ ପାଣିଗ୍ରାହୀ ।
ଅଧିକ ପଢ଼ନ୍ତୁ:- ଅଶୋକ ବନାମ୍ ବିରଞ୍ଚି-ଅମରେଶ, ଥାନାରେ ପହଁଚିଲା ମାମଲା
ସେପଟେ ଜନତାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିବା ବିଜେଡ଼ି ନିଜର ମୁହଁ ଟାଣ ଛାଡ଼ୁନି । ଦଳର ନେତା ଦେବୀ ପ୍ରସାଦ ମିଶ୍ର ବିଜେପି ସାଂସଦଙ୍କୁ କଡ଼ା ଜବାବ ଦେଇଛନ୍ତି । ଆଗକୁ ରାଜ୍ୟର ବଡ଼ ହଲଚଲ ହେବ ବୋଲି ଦାବି କରିଛନ୍ତି । ସେ ବି କହିଛନ୍ତି ବିଜେପିର ଅନେକ ନେତା ସମ୍ପର୍କରେ ଅଛନ୍ତି । ସେମାନେ ବିଜେଡ଼ିରେ ସାମିଲ ହେବାକୁ ଚାହୁଁଛନ୍ତି । ଅସନ୍ତୁଷ୍ଟ ନେତାଙ୍କୁ ବୁଝାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି ବିଜେଡ଼ି । ଏଥିପାଇଁ ଆସନ୍ତା ୨୭ ତାରିଖରେ ବିଜେଡ଼ିରେ ଦଳୀୟ ବୈଠକ ବସିବାକୁ ଯାଉଛି । ଅସନ୍ତୁଷ୍ଟ ନେତାଙ୍କୁ ଦଳର ଜାବୁଡ଼ି ରଖିବାକୁ ନେଇ ଆଲୋଚନା କରାଯିବ । ଖୋଦ ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ଏହା ଉପରେ ସମୀକ୍ଷା କରିବେ ।
ଏହା ପୂର୍ବରୁ ବିଜେଡ଼ି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏକ ସଭାରେ ଖୋଲାଖୋଲି କହିଥିଲେ ଯେ ପୁଣି ଥରେ ଉପ ନିର୍ବାଚନ ହେବ । ଆବଶ୍ୟକ ପଡ଼ିଲେ ଦଳ କଂଗ୍ରେସ ସହିତ ହାତ ମିଳାଇବ ବୋଲି ଖୋଲା ମଞ୍ଚରେ କହିଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ ପ୍ରଥମେ ବିଜେଡ଼ିର ପୂର୍ବତନ ସାଂସଦ ରାଜ୍ୟସଭା ମମତା ମହାନ୍ତ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲା । ପୁନର୍ବାର ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇ ରାଜ୍ୟସଭାକୁ ଯାଇଛନ୍ତି । ତାଙ୍କ ପରେ ପରେ ବିଜେଡ଼ିର ଆଉ ଜଣେ ଅସନ୍ତୁଷ୍ଟ ରାଜ୍ୟସଭା ସାଂସଦ ସୁଜିତ କୁମାର ଦଳରୁ ଇସ୍ତଫା ଦେଇଥିଲେ ।