ନୂଆଦିଲ୍ଲୀ : ତାମିଲନାଡୁର ରାଜ୍ୟପାଳ ଆରଏନ ରବି ସୋମବାର ଧର୍ମନିରପେକ୍ଷ ଉପରେ ବୟାନ ଦେଇ ଏକ ନୂତନ ବିବାଦ ସୃଷ୍ଟି କରିଛନ୍ତି । ରାଜ୍ୟପାଳ କହିଛନ୍ତି ଧର୍ମନିରପେକ୍ଷର ଅବଧାରଣା ୟୁରୋପ ସହ ସମ୍ବନ୍ଧିତ ଅଟେ, ଏହାର ଭାରତ ସହିତ କୌଣସି ସଂପର୍କ ନାହିଁ । କନ୍ୟାକୁମାରୀର ତିରୁବତ୍ତାରରେ ହିନ୍ଦୁ ଧର୍ମ ବିଦ୍ୟା ପୀଠମ ଦୀକ୍ଷାନ୍ତ ସମାରୋହରେ ଛାତ୍ର-ଛାତ୍ରୀଙ୍କୁ ସମ୍ବୋଧିତ କରି ରାଜ୍ୟପାଳ ଏହା କହିଛନ୍ତି ।
ସେ କହିଛନ୍ତି, ଏହି ଦେଶର ଜନତାଙ୍କ ସହ ବହୁତ ଧୋକା କରାଯାଇଛି । ଏଥିରୁ ଗୋଟିଏ ହେଉଛି ଧର୍ମନିରପେକ୍ଷର ଭୁଲ ବ୍ୟାଖ୍ୟା । ଧର୍ମନିରପେକ୍ଷ ହେଉଛି ୟୁରୋପୀୟ ଅବଧାରଣା । ଏହି ଶବ୍ଦ ସେଠାରେ ରହିବା ଉଚିତ୍ କାରଣ ଭାରତରେ ଧର୍ମନିରପେକ୍ଷର କୌଣସି ଆବଶ୍ୟକତା ନାହିଁ । ୟୁରୋପରେ ଧର୍ମନିରପେକ୍ଷ ଏଥିପାଇଁ ଆସିଥିଲା, କାରଣ ସେଠାରେ ଚର୍ଚ୍ଚ ଓ ରାଜାଙ୍କ ମଧ୍ୟରେ ଲଢେଇ ଚାଲିଥିଲା । ଭାରତ ଧର୍ମରୁ କେମିତି ଦୂରେଇ ରହି ପାରିବ ? ଧର୍ମନିରପେକ୍ଷ ଏକ ୟୁରୋପୀୟ ଅବଧାରଣା ଏବଂ ଏହାକୁ ସେଠାରେ ରହିବାକୁ ଦିଆଯାଉ ।
ରାଜ୍ୟପାଳଙ୍କ ଧର୍ମନିରପେକ୍ଷ ଉପରେ ଦେଇଥିବା ଟିପ୍ପଣୀକୁ ନେଇ ଡିଏମକେ, ବାମଦଳ ଓ ଏଆଇଡିଏମକେ ରାଜ୍ୟପାଳ ଏନ ରବିଙ୍କ ସମାଲୋଚନା କରିଛନ୍ତି । ରାଜ୍ୟପାଳଙ୍କ ଏହି ବୟାନ ଉପରେ କଡା ଆପତ୍ତି ପ୍ରକାଶ କରି ଡିଏମକେ ମୁଖପାତ୍ର ଟିକେଏସ ଏଲଙ୍ଗୋବନ କହିଛନ୍ତି, ଧର୍ମନିରପେକ୍ଷ ଭାରତରେ ସବୁଠୁ ଅଧିକ ଆବଶ୍ୟକ ଅବଧାରଣା । ଲାଗୁଛି ରାଜ୍ୟପାଳ ମହୋଦୟ ସମ୍ବିଧାନର ଅଧ୍ୟୟନ କରି ନାହାନ୍ତି । ତାଙ୍କୁ ପ୍ରଥମେ ସମ୍ବିଧାନ ପଢିବା ଉଚିତ୍ ଏବଂ ତାଙ୍କୁ ଦେଖିବା ଦରକାର ଯେ, ସେଥିରେ ୨୨ ଭାଷା ସୂଚୀବଦ୍ଧ ରହିଛି ।