ଭୁୁବନେଶ୍ୱର: ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ କାହିଁକି ସସପେଣ୍ଡ କରାଗଲା ତାକୁ ନେଇ ସଭିଙ୍କ ମନରେ ପ୍ରଶ୍ନ । ବିଜେଡି ବାରମ୍ବାର କହି ଆସୁଛି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଅରବିନ୍ଦଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ସାଂସଦ ପ୍ରାର୍ଥୀଙ୍କୁ ହରାଇବାକୁ ଷଡଯନ୍ତ୍ରର ମଙ୍ଗ ଧରିଥିଲେ ଅରବିନ୍ଦ ବୋଲି ବିଜେଡି ଅଭିଯୋଗ କରିଛି । ଏବେ ବିଜେଡିର ସମସ୍ତ ଅଭିଯୋଗକୁ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ଅରବିନ୍ଦ ମହାପାତ୍ର ।
ଅରବିନ୍ଦ କହିଛନ୍ତି, ସବୁ ଦିନ ମୋ ବିରୋଧରେ ନୂଆ ନୂଆ ଅଭିଯୋଗ ଆଣୁଛନ୍ତି । ଗୋଟିଏ କାଗଜ ଫର୍ଦ୍ଦରେ ସବୁ ଅଭିଯୋଗ ଲେଖିକି ଆଣନ୍ତୁ । ମିଡିଆରେ ରଖନ୍ତୁ । ମୁଁ ସବୁ ଅଭିଯୋଗର ଉତ୍ତର ରଖିବି । ନବୀନଙ୍କ ସହ କଥା ହେବାକୁ ଚେଷ୍ଟା କରିବି, ତା ପରେ ଉତ୍ତର ରଖିବି । ଏହା ପୂର୍ବରୁ ମଧ୍ୟ ଅରିବନ୍ଦ କହିଥିଲେ ଯେ, ସେ କୌଣସି ଷଡଯନ୍ତ୍ରରେ ସାମିଲ୍ ନାହାନ୍ତି । ବିଜେଡିର ନେତା କହୁଛନ୍ତି ପ୍ରମାଣ ରହିଛି । ତେବେ ପ୍ରମାଣ ଗଣମାଧ୍ୟମ ସାମ୍ନାରେ ରଖନ୍ତୁ । ରାଜ୍ୟବାସୀ ବି ଜାଣିବେ ସତ୍ୟତା କଣ ରହିଛି ।
ଏହା ପୂର୍ବରୁ ବିଜେଡିର ସାଧାରଣ ସଂପାଦକ ଅମରେଶ ପତ୍ରି ସାମ୍ବାଦିକ ସମ୍ମିଳନୀ କରି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ ପଛର କାରଣ କହିଛନ୍ତି । ସେ କହିଛନ୍ତି, ୨୨ ମାସ ହେଲା ଗୁଇନ୍ଦା ରିପୋର୍ଟ ନେଉଥିଲା ବିଜେଡି । ଟିକେଟ୍ ନେବା ପର ଦିନରୁ ଦଳ ସହ ବିଶ୍ୱାସଘାତକତା କରିଥିଲେ । ବାପ-ପୁଅ ଦଳ ଭାବେ ପାଟକୁରାରେ ଶାସନ କରୁଥିଲେ । ସାଂସଦ ପ୍ରାର୍ଥୀଙ୍କୁ ହରାଇବାକୁ ଷଡ଼ଯନ୍ତ୍ରର ମଙ୍ଗ ଧରିଥିଲେ ଅରବିନ୍ଦ । କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ଓ ସଭାପତିଙ୍କ ଫଟୋ ରଖୁନଥିଲେ । ପଞ୍ଚାୟତରେ ଦଳ ଲୋକଙ୍କୁ ହଟାଇ ନିଜ ଲୋକ ରଖୁଥିଲେ ଅରବିନ୍ଦ । ବାପାଙ୍କ କଥାରେ ଚାଲିଥିଲେ ପୁଅ ଅରବିନ୍ଦ ।
ସେ କେବଳ ଦଳ ସହ ବିଶ୍ୱାଘାତକ କରିନାହାନ୍ତି ବରଂ ପାଟକୁରାବାସୀଙ୍କ ସହ କରିଛନ୍ତି । ୨୫ ବର୍ଷ ତଳେ ତାଙ୍କ ବାପା ଯାହା କରିଥିଲେ ତାକୁ ଭୁଲି ତାଙ୍କୁ ଟିକେଟ୍ ଦିଆଗଲା । ଆଉ ଟିକେଟ୍ ପାଇ ଜିତିବା ପରେ ପ୍ରଥମ ଦିନରୁ ଆରମ୍ଭ ହେଲା ତାଙ୍କର କାମ । ଟିକେଟ୍ ମିଳିବ ସମୟରେ ଅରବିନ୍ଦ ସାଂସଦ ପ୍ରାର୍ଥୀଙ୍କୁ ହରେଇବାକୁ ଗୁରୁ ଦାୟିତ୍ଵ ନେଇଥିଲେ ଓ ଷଡ଼ଯନ୍ତ୍ର କରିଥିଲେ ।
ସୂଚନାଯୋଗ୍ୟ, ନିକଟରେ ବିଜେଡି ସୁପ୍ରିମକୋର୍ଟ ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ଦଳରୁ ନିଲମ୍ବିତ କରିଥିଲେ । ଏହି ଘଟଣାକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି ।
Also read: ଗଞ୍ଜାମ ଜିଲ୍ଲାରେ ଇଡିର ମାରାଥନ ରେଡ୍, ଜବତ ହୋଇଛି ୨.୬୩ କୋଟି, ସିଣ୍ଡିକେଟର ଗୁମର ଖୋଲିଲା