ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରୁ ୧୫ରୁ ଉର୍ଦ୍ଧ୍ୱ ସ୍ଥାନରେ ମାରାଥନ ରେଡ୍ କରିଥିଲା ଇଡି । ଏହି ରେଡରେ ୨.୬୩ କୋଟି ଟଙ୍କା ଜବତ ହୋଇଛି । ନଗଦ ହିସାବରେ ଏହି ଟଙ୍କା ଜବତ ହୋଇଥିବା ଇଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନେକ ବେନାମୀ ଗାଡି ମଧ୍ୟ ଜବତ କରିଛି ଇଡି । ବେଆଇନ ଓ ବଳପୂର୍ବକ ଭାବେ ଖଣି ଲିଜ୍ ନେଉଥିଲେ । ବାଲି ଓ କଳାପଥର ଚାଲାଣକୁ ନେଇ ଇଡି ବଡ ସୂଚନା ଦେଇଛି ।
ସାମ୍ବାଦିକ ସମ୍ମିଳନୀରେ ଇଡି କହିଛି ଯେ, ଏହି ଖଣି ଲିଜ ପଛରେ ସିଣ୍ଡିକେଟ୍ କାମ କରୁଥିଲା । ଅନ୍ୟମାନଙ୍କୁ ମିଳୁଥିବା ଖଣି ଲିଜ ବଳପୂର୍ବକ ଅକ୍ତିକାର କରୁଥିଲା ସିଣ୍ଡିକେଟ । ବେଆଇନ ଓ ବଳପୂର୍ବକ ଖଣି ଲିଜ୍ ନେଉଥିଲେ ସିଣ୍ଡିକେଟ୍ ସହଯୋଗୀ । ଋଷିକୂଳ୍ୟା, ବାହୁଡା, ବଡ ନଦୀରୁ ଚାଲିଥିଲା ବେଆଇନ ବାଲି ଚାଲାଣ । ବେଆଇନ ଭାବେ ପ୍ରାପ୍ତ ଖଣିଜ ବିକ୍ରି ପାଇଁ ନକଲି ଟ୍ରାଞ୍ଜିଟ ପାସ୍ ବ୍ୟବହାର କରୁଥିଲେ ।
ସୂଚନାଯୋଗ୍ୟ, , ବିଜେଡି ଜିଲ୍ଲା ଉପସଭାପତି ହୃଷୀକେଶ ପାଢ଼ୀଙ୍କ ବ୍ରହ୍ମପୁର ସ୍ଥିତ ଜୟପ୍ରକାଶ ନଗର ଓ ଶେରଗଡ଼ ଘରେ ଚଢ଼ଉ ହୋଇଥିଲା। ସେହିପରି ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଉମାନଗରରେ ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଅଫିସ, ବିଜିପୁର କାଳୁଆସାହିର ହକି ଓରଫ୍ ବିଶ୍ୱଜିତ ପାତ୍ରଙ୍କ ଘର, ଗାନ୍ଧୀନଗର ନିକଟ ଅମ୍ବିକାନଗରରେ ଥିବା ଶିବପ୍ରସାଦ ପାଢ଼ୀଙ୍କ ଘର ଓ ଷ୍ଟେସନ୍ ରୋଡ୍ରେ ଥିବା ଟୁର୍ ଆଣ୍ଡ୍ ଟ୍ରାଭେଲ୍ସ ଅଫିସ୍, କନିଷିର ବିଶିଷ୍ଟ ବ୍ୟବସାୟୀ ସୁନୀଲ ପାତ୍ରଙ୍କ ଘରେ ଚଢ଼ଉ କରାଯାଇଥିଲା। ଏଥିରୁ ବର୍ତ୍ତିନାହାନ୍ତି ଆସିକା ବ୍ଲକ୍ ଖାରିଆ ପଞ୍ଚାୟତ ସରପଞ୍ଚ ଜୟନ୍ତୀ ସାହୁ। ତାଙ୍କ ସ୍ୱାମୀ ତଥା ମଦ ଓ ବାଲି ବ୍ୟବସାୟୀ ଭଗବାନ ସାହୁଙ୍କ ବାସଭବନରେ ମଧ୍ୟ ଇଡି ଚଢ଼ଉ କରିଛି।
ଚଢ଼ଉ ସମୟରେ ହୃଷୀକେଶଙ୍କ ଘରୁ ନଗଦ ୨ କୋଟି ଟଙ୍କା ମିଳିଥିଲା। ଆଲମିରାରେ ଥାକ ମରା ହୋଇଥିବା ୨ କୋଟି ଟଙ୍କାର କୌଣସି ହିସାବ ନମିଳିବାରୁ ଇଡି ଜବତ କରି ନିଜ ହେପାଜତକୁ ନେଇଛି। ସନ୍ଧ୍ୟାରେ ବ୍ରହ୍ମପୁର ସହର ତୁଳସୀନଗରସ୍ଥିତ ବ୍ୟବସାୟୀ ସନ୍ତୋଷ ଦଳାଇଙ୍କ ଘରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଓ କିଛି ସୁନାଗହଣା ଜବତ କରାଯାଇଛି। ଏକ ବ୍ୟାଙ୍କ ଗାଡ଼ିରେ ଜବତ ଟଙ୍କା ଓ ଗହଣାକୁ ଇଡି ନେଉଥିବା ନଜରକୁ ଆସିଛି। ସେହିପରି ଅନ୍ୟ ସ୍ଥାନରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ସବୁଠୁ ବଡ଼କଥା ହେଲା, ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଏବେ ଜେଲ୍ରେ ଥିବା ବେଳେ ଉପସଭାପତିଙ୍କ ଘରେ ଚଢ଼ଉକୁ ନେଇ ରାଜନୈତିକ ମହଲରେ ଛନକା ପଶିଛି।