ବିହାର: ବିନା ହେଲମେଟରେ ଗାଡ଼ି ଚଲାଇବା ବିଧାୟକଙ୍କ ପାଇଁ ମହଙ୍ଗା ପଡ଼ିଲା । ଦେବାକୁ ପଡ଼ିଲା ଜରିମାନା । ବିହାର ପାଟନାର ଆରଜେଡ଼ି ବିଧାୟକ ତଥା ପୂର୍ବତନ ମୁକ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ପୁଅ ତେଜପ୍ରତାପ ଯାଦବ ବିନା ହେଲମେଟରେ ଗାଡ଼ି ଚଳାଇବା ହେତୁ ଟଙ୍କା ଗଣିଛନ୍ତି । ଟ୍ରାଫିକ୍ ନିୟମ ଭାଙ୍ଗିଥିବାରୁ ତାଙ୍କ ନାଁରେ ୪ ହଜାର ଟଙ୍କାର ଚାଲଣ କଟିଛି ।
ଗତକାଲି ହୋଲି ଉତ୍ସବ ବେଳେ ତେଜପ୍ରତାପଙ୍କୁ ବିନା ହେଲମେଟରେ ସ୍କୁଟି ଚଳାଉଥିବାର ଦେଖିବାକୁ ମିଳିଥିଲା । ବିହାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସ୍କୁଟି ଚଲାଇଥିଲେ ତେଜପ୍ରତାପ। ଯାହାକୁ ନେଇ ଟ୍ରାଫିକ ପୋଲିସ୍ ୪ ହଜାର ଟଙ୍କାର ଚାଲାଣ କାଟିଛନ୍ତି। ଏଥିସହିତ ସେ ଚଳାଉଥିବା ସ୍କୁଟିର ଇନ୍ସ୍ୟୁରାନ୍ସ ଓ ପଲ୍ୟୁସନ୍ ସାର୍ଟିଫିକେଟର ଅବଧି ମଧ୍ୟ ସରିଯାଇଥିବା ସୂଚନା ଦେଇଛି ପୋଲିସ୍।
ଗତକାଲି ତେଜ ପ୍ରତାପ ହୋଲି ଉତ୍ସବ ପାଳନ ବେଳେ ଜଣେ ପୋଲିସଙ୍କୁ ଦଳୀୟ କର୍ମୀଙ୍କ ମଧ୍ୟରେ ନାଚିବାକୁ ନିର୍ଦ୍ଦେଶ ଦେଇ ସମାଲୋଚିତ ହୋଇଥିଲେ । ତେଜପ୍ରତାପ କହିଥିଲେ, ମୁଁ ଗୀତ ବଜାଉଛି, ତୁମେ ନାଚ ନଚେତ୍ ନିଲମ୍ବନ ହେବ । ତେବେ ପୋଲିସ କର୍ମଚାରୀ ମଧ୍ୟ ବିଧାୟକଙ୍କ ଧମକରେ ଡରି ନାଚିବାକୁ ଲାଗିଥିଲେ । ସେପଟେ ଏହି ଘଟଣାକୁ ନେଇ ବିହାର ରାଜନୀତିରେ ଚର୍ଚ୍ଚା ଜୋର ହୋଇଥିଲା । ଘଟଣାକୁ ଜେଡିୟୁ, ବିଜେପି ଏବଂ କଂଗ୍ରେସ ଦୃଢ଼ ନିନ୍ଦା କରିଥିଲା।
ଅଧିକ ପଢନ୍ତୁ: ତେଜପ୍ରତାପଙ୍କ ଅର୍ଡରରେ ନାଚିଥିବା ପୋଲିସ କର୍ମୀଙ୍କ ବିରୋଧରେ ଆକ୍ସନ