ନୂଆଦିଲ୍ଲୀ, ପାକିସ୍ତାନ ଗୁପ୍ତଚରୀ ଅଭିଯୋଗରେ ଗିରଫ ହୋଇଥିବା ଦିଲ୍ଲୀର ମହମ୍ମଦ ହରୁନକୁ ନେଇ ତାର ପରିବାର ବଡ଼ ଖୁଲାସା କରିଛି । ପହଲଗାମ ଆକ୍ରମଣର ମାତ୍ର ୧୭ ଦିନ ପୂର୍ବରୁ ହରୁନ ପାକିସ୍ତାନ ଯାଇଥିବା ନେଇ ପରିବାର କହିଛି । ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଦିଲ୍ଲାର ସିଲମପୁର ବାସିନ୍ଦା ମହମ୍ମଦ ହରୁନକୁ ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ସଂସ୍ଥା ଗିରଫ କରିଛି । ଇସଲାମବାଦର ଅନେକ ସରକାରୀ ଅଧିକାରୀ ଏବଂ ସାମରିକ ଅଧିକାରୀଙ୍କ ସହିତ ତାର ସମ୍ପର୍କ ରହିଥିଲା । କିନ୍ତୁ ଜଣେ ନିର୍ଦ୍ଦୋଷକୁ ବିନା କୌଣସି ତଥ୍ୟ ପ୍ରମାଣରେ ଗିରଫ କରାଯାଇଥିବା ପରିବାର ଅଭିଯୋଗ କରିଛି । ଦୁଇ ଜଣ ଅଧିକାରୀ ତାଙ୍କୁ ଗିରଫ କରିଥିବା ନେଇ ମହମ୍ମଦ ହରୁନର ଭାଇ ମହମ୍ମଦ ଶାହିଦ କହିଛି । କିନ୍ତୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ବଡ଼ ସୂଚନା ଦେଇଛନ୍ତି ହରୁନର ଭାଇ । ଏପ୍ରିଲ ୫ ତାରିଖରେ ସେ ପାକିସ୍ତାନ ଯାଇଥିଲା ଏବଂ ଏପ୍ରିଲ ୨୫ରେ ସେ ଭାରତ ଫେରିଥିଲା । ଅର୍ଥାତ୍ ସେ ପହଲଗାମ ଆକ୍ରମଣ ମାତ୍ର ୧୭ ଦିନ ପୂର୍ବରୁ ସେ ପାକିସ୍ତାନ ଯାଇଥିଲା । ଆକ୍ରମଣ ପରେ ସେ ଭାରତ ଫେରି ଆସିଥିଲା । ଏପରିକି ସେ ପାକିସ୍ତାନରେ ଦ୍ୱିତୀୟ ବିବାହ ମଧ୍ୟ କରିଥିବା ପରିବାର କହିଛି ।
ଭାରତରେ ଥିବା ହରୁନର ପ୍ରଥମ ସ୍ତ୍ରୀ ସବନା କହିଛି, ପାକିସ୍ତାନରେ ତାର ଦ୍ୱିତୀୟ ପତ୍ନୀକୁ ଭେଟିବାକୁ ସେ ଯାଏ । ଭିସା ପ୍ରସଙ୍ଗରେ ମଧ୍ୟ କଥା ହୁଏ । ଅନ୍ୟପକ୍ଷରେ ହରୁନ ମାଆ ରୁକୟା ବେଗମ୍ କହିଛନ୍ତି, ଭିସା ସମ୍ପର୍କରେ ମୁଜାମିଲ ନାମକ ଜଣେ ବ୍ୟକ୍ତିଙ୍କ ସହିତ ସେ କଥା ହୁଏ । ଦ୍ୱିତୀୟ ବିବାହ ପାଇଁ ସେ ବର୍ଷକୁ ଥରେ ପାକିସ୍ତାନ ଯାଏ । ଯଦି ସେ ଗୁଇନ୍ଦ ବିଭାଗର ନଜରରେ ରହିଥିଲା ତେବେ ତାକୁ କାହିଁକି ସୀମା ନିକଟରେ ଅଟକାଗଲା ନାହିଁ ବୋଲି ରୁକୟା ପ୍ରଶ୍ନ କରିଛନ୍ତି ।
ଏହି ମାମଲାରେ ହରିୟାଣା ୟୁଟ୍ୟୁବର୍ ଜ୍ୟୋତି ମଲହୋତ୍ରାକୁ ମିଶାଇ ମୋଟ ୧୪ ଜଣ ଗିରଫ ହୋଇସାରିଲେଣି ।