ଶ୍ର୍ରୀନଗର: ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶନିବାର ଜମ୍ମୁ-କାଶ୍ମୀରର ପୁଞ୍ଚରେ ପହଞ୍ଚିଛନ୍ତି । ଏଠାରେ ସେ ଅପରେସନ ସିନ୍ଦୂର ପରେ ପାକିସ୍ତାନ ପକ୍ଷରୁ ହୋଇଥିବା ଆଖିବୁଜା ଗୁଳିମାଡ ପରେ ମୃତ୍ୟୁ ଘଟିଥିବା ମୃତକଙ୍କ ପରିଜନଙ୍କୁ ଭେଟିଛନ୍ତି । ରାହୁଲ ପାକିସ୍ତାନ ସେନାର ଗୁଳିମାଡରେ ମୃତକ ଏବଂ ଆହତଙ୍କ ପରିଜନଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଖୁବ ଶୀଘ୍ର ସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି ରାହୁଲ କହିଛନ୍ତି ।
ରାହୁଲ ଗାନ୍ଧୀ ପୁଞ୍ଚର ଏକ ସ୍କୁଲକୁ ମଧ୍ୟ ଯାଇଛନ୍ତି । ସୀମା ପାର ଗୁଳିମାଡରେ ପ୍ରଭାବିତ ଛାତ୍ର-ଛାତ୍ରୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ସେ କହିଛନ୍ତି ଆପଣମାନେ ଶତି ନିକଟରୁ ଏହି ବିପଦ ଓ ଭୟାବହ ସ୍ଥିତି ଦେଖିଛନ୍ତି । ମାତ୍ର ଚିନ୍ତା କରନ୍ତୁ ନାହିଁ, ସବୁ କିଛି ସ୍ୱାଭାବିକ ହୋଇଯିବ । ଏହି ସମସ୍ୟାର ମୁକାବିଲା ପାଇଁ ଗୋଟିଏ ଉପାୟ ହେଉଛି ଆପଣମାନେ ଖୁବ୍ ପାଠ ପଢନ୍ତୁ, ଖୁବ୍ ଖେଳନ୍ତୁ ଏବଂ ସ୍କୁଲରେ ବହୁତ ସାଙ୍ଗ ତିଆରି କରନ୍ତୁ ।
କଂଗ୍ରେସ ସାଂସଦ କହିଛନ୍ତି, ଏହା ଏକ ବଡ ଘଟଣା ଥିଲା । ଅନେକ ଲୋକ ନିଜର ଜୀବନ ହରାଇଲେ । ବହୁତ କ୍ଷୟକ୍ଷତି ମଧ୍ୟ ଘଟିଛି । ମୁଁ ଲୋକଙ୍କ ସହ ମିଶି ସେମାନଙ୍କର ସମସ୍ୟା ବୁଝିବାକକୁ ଚେଷ୍ଟା କରିଛି । ସେମାନେ ମୋତେ ଦୁଇ ତିନୋଟି ପ୍ରସଙ୍ଗ ଉଠାଇବାକ କହିଛନ୍ତି, ଯାହାକୁ ମୁଁ ଜାତୀୟସ୍ତରରେ ଉଠାଇବି ।
ଋାହୁଲ ନିଜର ଏହି ଗସ୍ତରେ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଓ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କୁ ମଧ୍ୟ ଭେଟିଛନ୍ତି । ଜମ୍ମୁ-କାଶ୍ମୀର କଂଗ୍ରେସ ଅଧ୍ୟକ୍ଷ ତାରିକ ହମିଦ କରା ରାହୁଲଙ୍କୁ କହିଛନ୍ତି ଯେ, ସବୁଠୁ ଅଧିକ କ୍ଷତି ପୁଞ୍ଚରେ ହୋଇଛି । ବହୁତ ଲୋକ ଭେଟିବାକୁ ଏଠାକୁ ଆସିଛନ୍ତି । ଅନେକ ଶିକ୍ଷାନୁଷ୍ଠାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
ସୂଚନାଯୋଗ୍ୟ, ଅପରେସନ ସିନ୍ଦୂର ପରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପୁଞ୍ଚରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରିଥିଲେ । ପାକିସ୍ତାନୀ ସେନା ଜାଣିଶୁଣି ସ୍କୁଲ, ଘର, ହସ୍ପିଟାଲ୍ ଓ ଧାର୍ମିକ ସ୍ଥଳକୁ ଟାର୍ଗେଟ୍ କରି ଗୁଳିମାଡ କରିଥିଲେ । ଏହି କାରଣରୁ ପୁଞ୍ଚରେ ଏବେ ବି ଲୋକଙ୍କ ମନରେ ଭୟର ମାହୋଲ ରହିଛି । ପାକିସ୍ତାନୀ ଗୁଳିମାଡରେ ୧୫ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିିଛି । ଅନେକ ଲୋକ ଆହତ ହୋଇଛନ୍ତି ।