ଅହମଦାବାଦ: ଶୁକ୍ରବାର ରାତିରେ ସୀମା ସୁରକ୍ଷା ବଳ (BSF) ଗୁଜରାଟର ବନସକାଣ୍ଠା ଜିଲ୍ଲା ନିକଟରେ ଜଣେ ପାକିସ୍ତାନ ଅନୁ ପ୍ରବେଶାକାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ବେଆଇନଭାବେ ଭାରତ ସୀମା ଅତିକ୍ରମ କରୁଥିବା ଜଣେ ସନ୍ଦିଗ୍ଧ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗୁଳି କରାଯାଇଛି । ଏ ନେଇ ଗୁଜରାଟର ବିଏସ୍ଏଫ୍ ଶାଖା ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି ।
ବିଏସ୍ଏଫ୍ ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାର ବିଳମ୍ବିତ ରାତିରେ ସୀମାରେ ନିୟୋଜିତ ଥିବା ସୁରକ୍ଷାବାହିନୀ ଭାରତ ସୀମା ଅତିକ୍ରମ କରୁଥିବା ଜଣେ ଅନୁପ୍ରବେଶକାରୀଙ୍କୁ ଦେଖିଥିଲେ । ତାଙ୍କୁ ପ୍ରଥମେ ଅଟକାଇବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ସେ ସେନାର ଚେତାବନୀକୁ ଅଣଦେଖା କରି ଆଗକୁ ବଢ଼ିଥିଲେ । ଜବାବରେ ବାଧ୍ୟ ହୋଇ ସେନା ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଅନୁପ୍ରବେଶକାରୀଙ୍କ ପରିଚୟ କିମ୍ବା ଅନୁପ୍ରବେଶ ପ୍ରୟାସ ପଛରେ ଉଦ୍ଦେଶ୍ୟ ସମ୍ପର୍କରେ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅନୁପ୍ରବେଶ ଉଦ୍ୟମ ପରେ ସୁରକ୍ଷାବାହିନୀ ପକ୍ଷରୁ ତଲାସୀ ଅଭିଯାନକୁ ଜୋର ଦାର କରାଯାଇଛି ।