ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତର ପାକିସ୍ତାନର ଆତଙ୍କବାଦୀ ଆଭିମୁଖ୍ୟ ଉପରେ କଡ଼ା ପ୍ରହାର ଜାରି ରଖିଛି । ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ବିଶ୍ୱ ସମ୍ମୁଖରେ ଭାରତ ବିରୁଦ୍ଧରେ ମିଥ୍ୟା ଅପପ୍ରଚାର କରୁଥିବା ପାକିସ୍ତାନକୁ ଅସଲ ଚେହେରା ଆଜି ଜାତି ସଂଘରେ ପର୍ଦ୍ଦାଫାସ୍ ହୋଇଛି ।
ଭାରତୀୟ ରାଷ୍ଟ୍ରଦୂତ ପର୍ଭାଥନେନୀ ହରିଶ୍ ଶନିବାର ଆତଙ୍କବାଦ ବିରୁଦ୍ଧରେ ଜାତିସଂଘକୁ ସମ୍ବୋଧନ କରିଛନ୍ତି । ‘ସଶସ୍ତ୍ର ସଂଘର୍ଷ ମଧ୍ୟରେ ଜଳର ସୁରକ୍ଷା ନାଗରିକ ଜୀବନର ସୁରକ୍ଷା’ ବିଷୟବସ୍ତୁ ଉପରେ ଆଧାରିତ ସ୍ଲୋଭେନିଆର ସ୍ଥାୟୀ ମିସନ ଦ୍ୱାରା ଆୟୋଜିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ହରିଶ ଯୋଗ ଦେଇଛନ୍ତି । ସିନ୍ଧୁ ଜଳ ଚୁକ୍ତିକୁ ନେଇ ରକ୍ତ ଏବଂ ଜଳ ଏକା ସାଙ୍ଗରେ ବହି ପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ପାକିସ୍ତାନ କିଭଳି ବାରମ୍ବାର ଭାରତର ବିଶ୍ୱାସ ସହିତ ଖେଳିଛି ତାହାର ଖୁଲାସା କରିଛନ୍ତି । ଭାରତୀୟ ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ହରିଶ ଗୁରୁତ୍ୱାରୋପ କରି କହିଛନ୍ତି, ୬୫ ବର୍ଷ ପୂର୍ବେ ଭାରତ ବିଶ୍ୱାସର ସହିତ ସିନ୍ଧୁ ଜଳ ଚୁକ୍ତି କରିଥିଲା । କିନ୍ତୁ ପାକିସ୍ତାନ ୩ ଥର ଯୁଦ୍ଧ ଜରିଆରେ ଏହି ଚୁକ୍ତିନାମାକୁ ଉଲ୍ଲଂଘନ କରିଛି ଏବଂ ଭାରତ ଉପରେ ହଜାରରୁ ଉର୍ଦ୍ଧ୍ୱ ଆତଙ୍କବାଦୀ ଆକ୍ରମଣ କରିଛି । ନିକଟରେ ପହଲଗାମ ଆକ୍ରମଣ ସହିତ ୨୦,୦୦୦ରୁ ଉର୍ଦ୍ଧ୍ୱ ଭାରତୀୟଙ୍କ ଜୀବନ ଯାଇଛି । ତଥାପି ଭାରତ ଧୈର୍ୟ୍ୟ ଏବଂ ସଦଭାବନା ଆଚରଣ ଦେଖାଇ ଆସିଛି ବୋଲି ଭାରତ କହିଛି ।
୨୦୧୨ରେ, ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ତୁଲବୁଲ ନାଭିଗେସନ୍ ପ୍ରକଳ୍ପ ଉପରେ ଆକ୍ରମଣ କରିଥିଲେ, ଯାହାଦ୍ୱାରା ଆମର ପ୍ରକଳ୍ପ ଏବଂ ନାଗରିକ ଜୀବନର ସୁରକ୍ଷାକୁ ବିପଦରେ ପକାଇଥିଲା । ଭାରତ ଗତ ୨ ବର୍ଷ ମଧ୍ୟରେ ଚୁକ୍ତିର ପରିବର୍ତ୍ତନ ବିଷୟରେ ଆଲୋଚନା କରିବାକୁ ପାକିସ୍ତାନକୁ କହିଛି । କିନ୍ତୁ ପାକିସ୍ତାନ ବାଧା ସୃଷ୍ଟି କରିଆସୁଛି । ତେଣୁ ଯେପର୍ଯ୍ୟନ୍ତ ପାକିସ୍ତାନ ବିଶ୍ୱସନୀୟ ଏବଂ ଅପରିବର୍ତ୍ତନୀୟ ଭାବରେ ସୀମାପାର ଆତଙ୍କବାଦକୁ ସମର୍ଥନ ଦେବା ବନ୍ଦ ନ କରେ ସେପର୍ଯ୍ୟନ୍ତ ଚୁକ୍ତି ସ୍ଥଗିତ ରହିବ ବୋଲି ହରିଶ ସିଧାସିଧା ଜାତିସଂଘକୁ ଶୁଣାଇ ଦେଇଛନ୍ତି । "ଜଳ ଜୀବନ, ଯୁଦ୍ଧର ଅସ୍ତ୍ର ନୁହେଁ" ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।