ଅହମ୍ମଦାବାଦ: ଦିନକୁ ଦିନ ପାକିସ୍ତାନୀ ଗୁପ୍ତଚରଙ୍କ ଗିରଫଦାରୀ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶର ବିଭିନ୍ନ ରାଜ୍ୟରୁ ଜଣକ ପରେ ଜଣେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ବ୍ୟକ୍ତିଙ୍କୁ ଗିରଫ କରୁଛି ଆତଙ୍କବାଦୀ ନିରୋଧୀ ସଂସ୍ଥା (ଏଟିଏସ୍)। ଗୁଜରାଟରୁ ସହଦେବ ସିଂ ଗୋହିଲ ନାମରେ ଜଣେ ବ୍ୟକ୍ତିଙ୍କୁ ଏଟିଏସ୍ ଉଠାଇ ନେଇଛି । ସେ ଭାରତୀୟ ନୌସେନା, ବାୟୁ ସେନା ଏବଂ ସୀମା ସୁରକ୍ଷା ବଳ ସଂକ୍ରାନ୍ତରେ ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଉଥିଲା ବୋଲି ଏଟିଏସ୍ ଏସପି କେ ସିଦ୍ଧାର୍ଥ ସୂଚନା ଦେଇଛନ୍ତି ।
ସହଦେବ ସିଂ ଗୋହିଲକୁ କଚ୍ଛରୁ ଗିରଫ କରାଯାଇଛି । ସେ ଜଣେ ସ୍ୱାସ୍ଥ୍ୟ କର୍ମୀଭାବରେ କାର୍ୟ୍ୟ କରେ । କିନ୍ତୁ ସେ ପାକିସ୍ତାନକୁ ବିଏସ୍ଏଫ୍ ଏବଂ ଭାରତୀୟ ନୌସେନାର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଉଥିଲା ବୋଲି ଜଣାପଡ଼ିଛି । ସହଦେବକୁ ମେ ୧ ତାରିଖରେ ପ୍ରାଥମିକ ପଚରାଉଚରା ପାଇଁ ଡକା ଯାଇଥିଲା । ୨୦୨୩ ଜୁନ-ଜୁଲାଇ ମାସରେ ଅଦିତି ଭରଦ୍ୱାଜ ନାମରେ ଜଣେ ମହିଳାଙ୍କ ସହିତ ୱାଟସଆପରେ ସହଦେବ ସମ୍ପର୍କରେ ଆସିଥିବା ସେ ସ୍ୱୀକାର କରିଥିଲା । ପରବର୍ତ୍ତୀ ସମୟରେ କଥାବାର୍ତ୍ତାବେଳେ ସେ ଜାଣିବାକୁ ପାଇଥିଲା ଯେ ସମ୍ପୃକ୍ତ ମହିଳା ଜଣକ ପାକିସ୍ତାନର ଏଜେଣ୍ଟ୍ ଥିଲା । ଉକ୍ତ ମହିଳା ବିଏସ୍ଏଫ୍ ଏବଂ ନୌସେନା ବାବଦରେ କିଛି ଫଟୋ ଏବଂ ଭିଡ଼ିଓ ଦେବାକୁ ତାକୁ କହିଥିଲା । ଯାହା ପରେ ସହଦେବ ଅଦିତି ନାମକ ମହିଳାକୁ ଫଟୋ ଏବଂ ଭିଡ଼ିଓ ପଠାଇବା ଆରମ୍ଭ କରିଥିଲା ।
ଏହା ପରେ ୨୦୨୫ ବର୍ଷ ଆରମ୍ଭ ବେଳକୁ ସହଦେବ ଏକ ଅଲଗା ସିମ୍ କାର୍ଡ କିଣିଥିଲା । ଯାହାକୁ ସେ ଅଦିତି ଭରଦ୍ୱାଜ ସହିତ କଥା ହେବାକୁ ବ୍ୟବହାର କରୁଥିଲା । ଉକ୍ତ ନମ୍ବରରୁ ସେ ବିଏସ୍ଏଫ ଏବଂ ଭାରତୀୟ ବାୟୁ ସେନାର ଫଟୋ ପଠାଇଥିଲା । ଏଥିପାଇଁ ତାକୁ ମୋଟା ଅଙ୍କର ପାଉଣା ମଧ୍ୟ ମିଳୁଥିଲା । ସହଦେବକୁ ନଗଦ ୪୦, ୦୦୦ ଟଙ୍କା, ଜଣେ ଅଜଣା ବ୍ୟକ୍ତିଙ୍କ ଜରିଆରେ ଦିଆଯାଇଥିଲା । ତେଣୁ ଉକ୍ତ ବ୍ୟକ୍ତି ଜଣକ ମଧ୍ୟ ଏଥିରେ ସାମିଲ ଥିବା ସନ୍ଦେହ କରାଯାଉଛି ବୋଲି ଏଟିଏସ୍ ଏସପି କହିଛନ୍ତି ।
ଗୁପ୍ତଚର ସନ୍ଦେହରେ ସହଦେବ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଧାରା ୬୧ (ଅପରାଧିକ ଷଡ଼ଯନ୍ତ୍ର ରଚିବା ) ଏବଂ ୧୪୮ (ଦେଶରେ ଦଙ୍ଗା ସୃଷ୍ଟି କରିବା) ଅନୁଯାୟୀ ମାମଲା ରୁଜୁ କରାଯାଇଛି । ସହଦେବଙ୍କ ଉକ୍ତ ନମ୍ବରକୁ ଫରେନସିକ୍ ଲ୍ୟାବକୁ ଯାଞ୍ଚ ପାଇଁ ପଠାଯାଇଛି । ଅଦିତି ଭରଦ୍ୱାଜ ବ୍ୟବହାର କରୁଥିବା ନମ୍ବର ପାକିସ୍ତାନରୁ ପରିଚାଳିତ ହେଉଥିଲା ବୋଲି ଏସପି କହିଛନ୍ତି ।
ତେବେ ସହଦେବକୁ ମିଶାଇ ଏହି ଗିରଫଦାରୀ ସଂଖ୍ୟା ୧୫ରେ ପହଁଚିଛି ।