ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ଦିଲ୍ଲୀରେ ଭାରତ ମଣ୍ଡପମରେ ନୀତି ଆୟୋଗର ୧୦ମ ଗଭର୍ଣ୍ଣିଂ କାଉନସିଲ ବୈଠକ ଆରମ୍ଭ ହୋଇଛି । ବୈଠକର ଥିମ 'ବିକଶିତ ରାଜ୍ୟରୁ ବିକଶିତ ଭାରତ @2047' ରଖାଯାଇଛି । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କିଛି ବଡ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନାହାନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କର୍ଣ୍ଣାକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ବୈଠକରୁ ଦୂରେଇ ରହିଛନ୍ତି ।
ଏଏନଆଇ ଅନୁଯାୟୀ, ବୈଠକରେ ରାଜ୍ୟଗୁଡିକୁ ନିଜ ନିଜର ସମ୍ବଳ ଓ ଭୌଗୋଳିକ ସ୍ଥିତି ଅନୁସାରେ ଦୀର୍ଘକାଳୀନ ଓ ସମନ୍ୱିତ ବିକାଶର ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ଯାହା ଫଳରେ ୨୦୪୭ ସୁ୍ଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ନିର୍ମାଣ କରାଯାଇ ପାରିବ । ଏଥିରେ ମାନବ ସମ୍ବଳ ବିକାଶ, ଆର୍ଥିକ ବୃଦ୍ଧି, ଆଜୀବିକା, ବୈଷୟିକ ଓ ସୁଶାସନ ପରି କ୍ଷେତ୍ର ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । କେନ୍ଦ୍ର ଏହା ମଧ୍ୟ କହିଛି ଯେ, ରାଜ୍ୟଗୁଡିକୁ ଡାଟା ଆଧାରିତ କାର୍ଯ୍ୟପ୍ରଣାଳୀ, ପ୍ରୋଜେକ୍ଟ ମନିଟରିଂ ୟୁନିଟ୍ ଓ ଆଇସିଟି ସକ୍ଷମ ଭିତ୍ତିଭୂମି ଜରିଆରେ ପରିଣାମ ଆଧାରିତ ପରିବର୍ତ୍ତନ କରିବାକୁ ପଡିବ ।
ତେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରୁ ସଂପୂର୍ଣ୍ଣ ଦୂରେଇ ରହିଛନ୍ତି । ନା ସେ ନିଜେ ଦିଲ୍ଲୀ ଆସିଲେ ନା ତାଙ୍କର କୌଣସି ପ୍ରତିନିଧିକୁ ବୈଠକକୁ ପଠାଇଲେ । ଏହା ପ୍ରଥମ ଥର ନୁହେଁ ଏମିତି ଅନେକ ଥର ପୂର୍ବରୁ ମମତା ନୀତି ଆୟୋଗ ବୈଠକରେ ଯୋଗ ଦେଇ ନାହାନ୍ତି ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ଏହି ବୈଠକରେ ଯୋଗ ଦେଇ ନାହାନ୍ତି । କିନ୍ତୁ ତାଙ୍କ ସରକାର ପକ୍ଷରୁ କୁହାଯାଇଛି ଯେ, ବୈଠକକୁ ବହିଷ୍କାର କରାଯାଇ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ନିର୍ଦ୍ଧାରିତ ମହୀଶୂର ଯାତ୍ରା କାରଣରୁ ବୈଠକରେ ସାମିଲ ହୋଇ ପାରି ନାହାନ୍ତି । ତେବେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ବୈଠକରେ ତାଙ୍କ ପକ୍ଷରୁ କିଏ ଯୋଗ ଦେଇଛି ।
କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ମଧ୍ୟ ବୈଠକରୁ ଦୂରେଇ ରହିଛନ୍ତି । ସେ ଅର୍ଥମନ୍ତ୍ରୀ କେଏନ ବାଲଗୋପାଳଙ୍କୁ ନାମିତ କରିଥିଲେ, କିନ୍ତୁ ଏହା ମୁଖ୍ୟମନ୍ତ୍ରୀଙ୍କ ବୈଠକ ଥିବାରୁ ବାଲଗୋପାଲଙ୍କ ଯୋଗଦାନକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଦେଖା ଦେଇଛି । ବୈଠକରେ ଉତ୍ତର ପ୍ରଦେଶ, ଗୁଜରାଟ, ଉତ୍ତରାଖଣ୍ଡ, ଛତିଶଗଡ, ମଧ୍ୟ ପ୍ରଦେଶ, ଓଡିଶା, ଆନ୍ଧ୍ର ପ୍ରଦେଶ, ତାମିଲାଡୁ, ପଞ୍ଜାବ, ଜମ୍ମୁ-କାଶ୍ମୀର, ତେଲଙ୍ଗାନା, ତ୍ରିପୁରା ଓ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି ।