ସାଧାରଣତଃ ଟ୍ରେନରେ ଯାତ୍ରା କରିବା ସମୟରେ ଆମେ ବେଳେବେଳେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥାଉ । ଯେମିତିକି ବେଳେବେଳେ ଟ୍ରେନ ଟିକେଟ କନଫର୍ମ ନହୋଇ ୱେଟିଂ ଲିଷ୍ଟରେ ରହିଯାଏ ଆଉ ଆମକୁ ସିଟକୁ ଅପେକ୍ଷା କରିବାକୁ ପଡିଥାଏ । କିନ୍ତୁ ଏବେ ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି । ଏଣିକି ଟ୍ରେନ ଯାତ୍ରା ବେଳେ ଆଉ ସିଟ ପାଇଁ ଅପେକ୍ଷା କରିବାକୁ ପଡିବନି । ଆଉ ଆଗାମୀ ୫ ବର୍ଷ ମଧ୍ୟରେ ଏହି ସୁବିଧା ହେବାକୁ ଯାଉଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କହିଛନ୍ତି । ଯାତ୍ରୀଙ୍କ ୱେଟିଂ ଲିଷ୍ଟକୁ ଦୂର କରିବା ପାଇଁ ଟ୍ରେନ ପାଇଁ ୧ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି । ଏବଂ ୫ ବର୍ଷ ମଧ୍ୟରେ ପ୍ରାୟ ପ୍ରତ୍ୟେକ ଯାତ୍ରୀଙ୍କୁ କନଫର୍ମ ଟିକେଟ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି । ଏହାସହ ଆଗାମୀ ୪-୫ ବର୍ଷ ମଧ୍ୟରେ ୩ ହଜାର ନୂଆ ଟ୍ରେନ ଚଳାଚଳ କରିବାକୁ ଯୋଜନା ହେଉଛି । ତେବେ ବର୍ତମାନ ଟ୍ରେନରେ ବାର୍ଷିକ ପ୍ରାୟ ୮୦୦ କୋଟି ଯାତ୍ରୀ ପରିବହନ କରୁଥିବା ବେଳେ ଆଗାମୀ ୪-୫ ବର୍ଷ ମଧ୍ୟରେ ଏହା ୧୦ କୋଟିକୁ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।