ପୁଣି ଜଳମଗ୍ନ ହେଲା ଦୁବାଇ । ଗତ କିଛି ଦିନ ପୂର୍ବରୁ ଦୁବାଇରେ ବର୍ଷା ତାଣ୍ଡବ ରଚିଥିଲା । ଦୁବାଇରେ ରାସ୍ତାଘାଟ ଠାରୁ ଆରମ୍ଭ କରି ବିମାନବନ୍ଦର ପର୍ଯ୍ୟନ୍ତ ସବୁଠି ପାଣି । ବର୍ତ୍ତମାନ ଦୁବାଇରେ ସମାନ ସ୍ଥିତି ଉପୁଜିଛି । ଦୁବାଇରେ ତାଣ୍ଡବ ରଚିଛି ବର୍ଷା ଓ ଭୟଙ୍କର ଝଡ । ଯାହାଫଳରେ ରାସ୍ତାଘାଟ ବୁଡିବା ସହିତ କାର୍ ଭାସୁଛି । ବର୍ଷା ପାଇଁ କେତେକ ସ୍ଥାନରେ ସ୍କୁଲ , କଲେଜ ସହିତ ଅଫିସ ମଧ୍ୟ ବନ୍ଦ କରି ଦିଆଯାଇଛି । ଅଧିକାଂଶ ବିମାନ ଚଳାଚଳକୁ ମଧ୍ୟ ବାତିଲ କରାଯାଇଛି । ବର୍ଷା ପାଇଁ ଦୁବାଇ ବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭୀଷଣ ବର୍ଷା ପାଇଁ ଦୁବାଇର ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ମଧ୍ୟ ସୂଚନା ପ୍ରଦାନ କରାଯାଇଛି । ବର୍ଷା ପାଇଁ ଜନଜୀବନ ହନ୍ତସନ୍ତ ହୋଇପଡିଛି । ଦୁବାଇରେ ପୂର୍ବର ସ୍ଥିତି ଆୟତ୍ତକୁ ନ ଆସିଥିବାବେଳେ ବର୍ତ୍ତମାନର ପରିସ୍ଥିତି ଅଣାୟତ୍ତ ହୋଇପଡିଛି ।