ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହିତ ଲିଙ୍କ୍ ଥିବାରୁ ଆଇଆଇଟି ଗୁଆହାଟିର ଜଣେ ଛାତ୍ରଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ଗିରଫ କରାଯାଇଛି। ଛାତ୍ରଙ୍କ ନାମ ହେଉଛି ତୌସିଫ ଅଲି ଫାରୁକି । ସେ ଚତୁର୍ଥ ବର୍ଷର ବାୟୋ ସାଇନ୍ସ ଛାତ୍ର । ଶନିବାର ତାଙ୍କୁ ଗିରଫ କରାଯାଇଥିଲା। ସେ ଦିଲ୍ଲୀର ବାସିନ୍ଦା ବୋଲି କୁହାଯାଉଛି। ଆସାମ ଏସଟିଏଫ ଇନ୍ସପେକ୍ଟର ଜେନେରାଲ ପାର୍ଥସାରଥୀ ମହନ୍ତ କହିଛନ୍ତି ଯେ, ପଚରାଉଚରା ପରେ ପୋଲିସ ଆଇଏସଆଇଏସ ସହ ତାଙ୍କର ସମ୍ପର୍କର ଦୃଢ ପ୍ରମାଣ ପାଇଛି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ ତାଙ୍କୁ ୧୦ ଦିନ ପୋଲିସ ହେପାଜତକୁ ପଠାଯାଇଥିଲା। ଆଇଏସଆଇଏସ ଇଣ୍ଡିଆର ମୁଖ୍ୟ ହରିଶ ଫାରୁକି ଛଦ୍ମନାମ ହରିଶ ଅଜମଲ ଫାରୁକି ଏବଂ ତାଙ୍କ ସହଯୋଗୀ ଅନୁରାଗ ସିଂ ଛଦ୍ମନାମ ରେହାନ ଗିରଫ ହେବା ପରେ ଏହି ଛାତ୍ରଙ୍କୁ ଗିରଫ କରାଯାଇଥିଲା। ଏସଟିଏଫ ଅତିରିକ୍ତ ପୋଲିସ ଅଧୀକ୍ଷକ କଲ୍ୟାଣ କୁମାର ପାଠକ କହିଛନ୍ତି ଯେ ଏକ ଇମେଲ ପାଇବା ପରେ ତଦନ୍ତ ଆରମ୍ଭ ହୋଇଛି। ଏହି ଇମେଲ୍ ଛାତ୍ର ନିଜେ ପଠାଇଥିଲେ । ଏଥିରେ ସେ ଦାବି କରିଛନ୍ତି ଯେ ସେ ଆଇଏସଆଇଏସରେ ଯୋଗଦେବାକୁ ଯାଉଛନ୍ତି।
ଅଧିକ ପଢନ୍ତୁ : ହୋଲି ଉତ୍ସବବେଳେ ଧସିଲା ପାହାଡ : ୨ ମୃତ