ଗୋଟିଏ ମାମଲାର ରାୟ ଆସିବା ପାଇଁ ଲାଗୁଛି ୧୦ରୁ ୧୪ ବର୍ଷ ଆଉ ସେତେବେଳକୁ ଅଭିଯୋଗକାରୀ କୋର୍ଟ ଦୌଡ଼ି ଦୌଡ଼ି ହତାଶ ହୋଇପଡୁଛନ୍ତି। ଏମିତିକି ଅନେକ ମାମଲାରେ ରାୟ ଆସିବା ପୂର୍ବରୁ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ହୋଇଯାଉଛି। କିନ୍ତୁ ଏବେ ଆଉ ପୀଡ଼ିତଙ୍କୁ ନ୍ୟାୟ ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ ପଡ଼ି ରହିଥିବା ମାମଲାଗୁଡ଼ିକର ତ୍ୱରିତ ଫଏସଲା ପାଇଁ ରାଜ୍ୟରେ ଏକାଧିକ କୋର୍ଟ ପ୍ରତିଷ୍ଠା କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ବିଭିନ୍ନ ଅଦାଲତରେ ପଡ଼ି ରହିଥିବା ମାମଲା ସଂଖ୍ୟା ହ୍ରାସ ପାଇଁ ୨୦୧୧ ମସିହାରେ ରାଜ୍ୟ ସରକାର ସ୍ୱତନ୍ତ୍ର ମାମଲା ନୀତି ପ୍ରଣୟନ କରିଥିଲେ। ଏହାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସ୍ତରରେ ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଏବଂ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁରୂପ କମିଟିମାନ ଗଢ଼଼ାଯାଇଥିଲା। ଏହି କମିଟିର ବୈଠକ ବସି ମାମଲା କିଭଳି ଶୀଘ୍ର ଫଇସଲା ହେବ, ସେ ଦିଗରେ ଗୁରୁତ୍ୱ ଦିଆଯାଉଛି। ଯେଉଁଥିପାଇଁ ବର୍ତ୍ତମାନ ଏକାଧିକ ମାମଲା ଶୀଘ୍ର ଫଇସଲା ହୋଇପାରୁଛି।
ସମ୍ପ୍ରତି ରାଜ୍ୟର ବିଭିନ୍ନ ଅଦାଲତରେ ପ୍ରାୟ ୧୭ ଲକ୍ଷ ମାମଲା ବିଚାରାଧୀନ ଭାବରେ ପଡ଼ି ରହିଛି। ମାମଲା ପରିଚାଳନା ପାଇଁ ଆବଶ୍ୟକ ସରକାରୀ ଓକିଲଙ୍କୁ ନିଯୁକ୍ତି ଦେବା ସହ ଏକାଧିକ ନୂତନ କୋର୍ଟ ପ୍ରତିଷ୍ଠା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଫଳରେ ମାମଲାର ତ୍ୱରିତ ଶୁଶାଣି ହୋଇପାରୁଛି। ବର୍ଷକୁ ଯେତେ ମାମଲା ଫଏସଲା ହେଉଛି, ତାହା ଅପେକ୍ଷା ଢେର୍ ଅଧିକ ସଂଖ୍ୟକ ମାମଲା ରୁଜୁ ହେବାରେ ଲାଗିଛି। ସାରା ଦେଶରେ ଏବେ ୪ କୋଟି ୩୦ ଲକ୍ଷରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବା ବେଳେ ସେଥିରୁ ୩ କୋଟିରୁ ଅଧିକ ହେଉଛି ଆପରାଧିକ ମାମଲା। ଏଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକ ୫ ବର୍ଷର ପୁରୁଣା। ଏମିତିକି ୩୦ ବର୍ଷ ଓ ତଦୂର୍ଦ୍ଧ୍ବ ସମୟର କିଛି ଆପରାଧିକ ମାମଲା ବି ଅଦାଲତରେ ଗଡ଼ୁଛି। ରାଜ୍ୟରେ ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରୁ ପ୍ରାୟ ୧୩ଲକ୍ଷ ହେଉଛି ଅପରାଧିକ ମାମଲା ଏବଂ ଏହାର ମଧ୍ୟ ୬୦ ପ୍ରତିଶତରୁ ଅଧିକ ୫ବର୍ଷରୁ ଅଧିକ ସମୟ ଧରି ଗଡ଼ୁଛି।
ଅଧିକ ପଢ଼ନ୍ତୁ : ଅଯୋଧ୍ୟା ରାମମନ୍ଦିର ଥିମରେ ନିର୍ମିତ ରୂପା ମୁଦ୍ରା