ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଭାରତକୁ ନିମନ୍ତ୍ରଣ ମିଳିଛି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିମନ୍ତ୍ରଣ କ୍ରମେ ଆମେରିକା ଗସ୍ତରେ ଯିବେ। ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଜୟଶଙ୍କର ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ। ଏହି ଗସ୍ତ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଆମେରିକା ଗସ୍ତରେ ଆସିଥିବା ଅନ୍ୟ କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ସହ ମଧ୍ୟ ବୈଠକ କରିବେ।
ଜାନୁଆରୀ ୨୦ରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ଅବସରରେ ୱାଶିଂଟନ ଗସ୍ତ ସମୟରେ ଜୟଶଙ୍କର ଟ୍ରମ୍ପ ପ୍ରଶାସନର ପ୍ରତିନିଧିଙ୍କ ସହ ମଧ୍ୟ ସାକ୍ଷାତ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ରବିବାର କହିଛି।
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ ସ୍ୱତନ୍ତ୍ର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନ ପରେ ଅନେକ ଦେଶ ଆମେରିକାକୁ ନେଇ ଚିନ୍ତିତ ଅଛନ୍ତି। କିନ୍ତୁ ଭାରତ ସେହି ଦେଶମାନଙ୍କରେ ଅନ୍ତର୍ଭୁକ୍ତ ନୁହେଁ। ମୁଁ ଭାବୁଛି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଥମ ତିନୋଟି ଫୋନ୍ କଲ୍ରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ପୃକ୍ତ ଥିଲେ।
ଅଧିକ ପଢ଼ନ୍ତୁ: ୫୯ ଟଙ୍କାରେ ଦେଇ ଯୋଜନାରେ ସାମିଲ ହୋଇପାରିବେ ଶ୍ରଦ୍ଧାଳୁ