ପୁରୀ : ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ସ୍ଥାନର ଫଟୋ । ଏଥର ଶ୍ରୀମନ୍ଦିର ପରିସର କୀର୍ତ୍ତନ ଚକଡ଼ା ନିକଟ ଫଟୋ ଭାଇରାଲ୍ ହୋଇଛି। ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଗୌରବ କୁମାର ସାହୁ ନାମକ ଜଣେ ଯୁବକ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି । ଏହାପରେ ସାମ୍ନାକୁ ଆସିଛି ଘଟଣା। ଏଥିପାଇଁ ଦାୟୀ କିଏ? ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେବା ପରେ ଭକ୍ତଙ୍କ ମନରେ ଏହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନା ଥାଉକି ଗତ ଜାନୁଆରୀ ୫ ତାରିଖ ଦିନ ଶ୍ରୀମନ୍ଦିରେ ଉପରେ ଏକ ଅଜଣା ଡ୍ରୋନ ଉଡ଼ିଥିଲା। ଶ୍ରୀମନ୍ଦିର ମେଘନାଦ ପାଚେରୀ, ଦଧିନଉତି, ନୀଳଚକ୍ର ସବୁଠି ଅଟକି ଅଟକି ଭିଡିଓ ଶୁଟ୍ କରିଥିଲା। ଏମିତିକି ବେଶ ତଳକୁ ଓହ୍ଲାଇ ବି ଭିଡିଓ ରେକର୍ଡ କରିଥିବା ଜଣାପଡ଼ିଛି। ଏସବୁକୁ ବାହାରେ ଥିବା ଶ୍ରଦ୍ଧାଳୁ ଦେଖିଥିଲେ ଓ ନିଜ ଫୋନରେ ରେକର୍ଡିଂ ବି କରିଥିଲେ। ପ୍ରାୟ ଅଧଘଣ୍ଟା ଧରି ଡ୍ରୋନ୍ ଉଡ଼ିଲା, ହେଲେ ପୁଲିସ୍ କିମ୍ବା ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ ଏ ସମ୍ପର୍କରେ କୌଣସି କାର୍ଯନୁଷ୍ଠାନ ଗ୍ରହଣ କଲେନାହିଁ । ତେବେ ଏପରି ବାରମ୍ବାର ହେଲେ ଶ୍ରୀ ମନ୍ଦିର ସୁରକ୍ଷା ପ୍ରତି ବିପଦ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।