ଭୁବନେଶ୍ୱର: ପବିତ୍ର ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଉତ୍ତରପ୍ରଦେଶ ପ୍ରୟାଗରାଜ ପାଇଁ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ବସ୍ ସେବା । ରାଜ୍ୟ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକଭାବେ ବସଗୁଡ଼ିକର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଚରଣ ମାଝୀ ଲୋକସେବା ଭବନରେ ଆଭାସୀ ମାଧ୍ୟମରେ ପତାକା ଦେଖାଇ ବସ ଚଳାଚଳର ଶୁଭାରମ୍ଭ କରିଛନ୍ତି । ପୁରୀ-ଅଯୋଧ୍ୟା, ବ୍ରହ୍ମପୁର-ଅଯୋଧ୍ୟା, ସମ୍ବଲପୁର-ଅଯୋଧ୍ୟା ଏବଂ ଭବାନୀପାଟଣା-ଅଯୋଧ୍ୟା ପ୍ରମିୟମ ବସଗୁଡ଼ିକର ଶୁଭାରମ୍ଭ ହୋଇଛି । ଶ୍ରଦ୍ଧାଳୁମାନେ ଅଯୋଧ୍ୟା ଓ ପ୍ରୟାଗରାଜ ଗସ୍ତ କରିବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶ୍ରଦ୍ଧାଳୁଙ୍କୁ ଆରାମ ଦାୟକ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯିବ । ଆଗାମୀ ଦିନରେ ଲୋକଙ୍କ ଚାହିଦା ଦେଖି ବସ୍ ସଂଖ୍ୟାରେ ବୃଦ୍ଧି କରାଯିବ । ପ୍ରଥମ ଦିନରେ ଓଡ଼ିଶାରୁ ୨୦୦ ଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି । ମହିଳାମାନଙ୍କ ପାଇଁ ଟିକେଟ୍ ମୂଲ୍ୟରେ ୫୦ ପ୍ରତିଶତ ରିହାତି କରାଯାଇଛି । ଏହା ସହିତ ଓଏସଆରଟିସି ପକ୍ଷରୁ ୨୪ ଘଣ୍ଟିଆ ହେଲ ଡେସ୍କ ଖୋଲାଯାଇଚି । କୌଣସି ଅସୁବିଧାର ସମ୍ମୁଖୀନ ହେଲେ କିମ୍ବା କୌଣସି ଯାତ୍ରା ସମ୍ବନ୍ଧୀୟ ସୂଚନା ପାଇଁ ୧୮୦୦୩୪୫୧୧୨୨କୁ କଲ୍ କରିପାରିବେ କିମ୍ବା ହ୍ୱାଟ୍ସ ଅପ୍ ନମ୍ବର ୭୮୪୯୦୫୨୨୦୫ରେ ଯୋଗଯୋଗ କରିପାରିବେ । ସମସ୍ତ ଯାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।
ଲୋକ ସେବା ଭବନରେ ଉଦଘାଟନୀ ସମାରୋହରେ ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ ଏବଂ ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, କଳାହାଣ୍ଡି ସାଂସଦ ମାଳବୀକା ଦେବୀ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ବିଧାୟିକା ଉପାସନା ମହାପାତ୍ର ଭିଡ଼ିଓ କନଫରେନସିଂ ଜରିଆରେ ଯୋଡ଼ି ହୋଇଥିଲେ ।