ରାୟଗଡ଼ା : ଅବକାରୀ ଜିଲ୍ଲା ମୋବାଇଲ ୟୁନିଟ୍ ଶାଖା ଦ୍ଵାରା ରାୟଗଡ଼ା ଗୁଡ଼ାରୀ ଥାନା ଅର୍ନ୍ତଗତ ଗୁମୁଡ଼ାର ଏକ ଭଡା ଘରୁ ୧୩୮ କାର୍ଟୁନ୍ ନକଲି ବିଦେଶୀ ମଦ ଜବତ ଓ ୩ ଜଣ ଗିରଫ।
ଅବକାରୀ ମୋବାଇଲ ଟିମର ଇନ୍ସପେକ୍ଟର କମ୍ବୁପାଣି ସିନ୍ଦୁରଙ୍କ କହିବାନୁଯାୟୀ ରବିବାର ରାତିରେ ପାଟ୍ରୋଲିଂ କରିବା ସମୟରେ ବିଦେଶୀ ଠିପି ବନ୍ଦ ଦୋକାନ ସାମ୍ନାରେ ଥିବା ଏକ ଭଡ଼ାଘରେ ଚଢ଼ାଉ କରିଥିଲେ । ସେଠାରୁ ସେମାନେ ଏହି ନକଲି ବିଦେଶୀ ମଦ ସହ ଉକ୍ତ ଘରେ ଭଡ଼ାରେ ରହୁଥିବା ଗୁମୁଡ଼ା ବିଦେଶୀ ଠିପି ବନ୍ଦ ମଦ ଦୋକାନରେ କାର୍ଯ୍ୟରତ ତିନି ବିହାରି ଯୁବକ ସନ୍ଦେଶ ଥାନା ଅନ୍ତର୍ଗତ ଚେଟତାଲା ଗ୍ରାମର ରାଜ କୁମାର ଯାଦବ(୨୫), ମଦନପୁର ଥାନା ମାଦଖା ଗ୍ରାମର ଶତ୍ରୁଘ୍ନ ଯାଦବ (୪୫), ସାଲିଆ ଥାନା ଅନ୍ତର୍ଗତ ବାରିଡି ଗ୍ରାମର ସୁଦର୍ଶନ ଯାଦବଙ୍କୁ ଗିରଫ କରିଥିଲେ।
ତେବେ ଏତେ ପରିମାଣର ବିଦେଶୀ ନକଲି ମଦ ଜବତ ହେବା ଫଳରେ ନକଲି ମଦ ଫ୍ୟାକ୍ଟ୍ରି ଉକ୍ତ ଅଂଚଳରେ ଚାଲୁଥିବା ସଂଦେହ ଘନୀଭୂତ ହୋଇଛି । ତେବେ ଉକ୍ତ ବିଦେଶୀ ଠିପି ବନ୍ଦ ମଦ ଦୋକାନ ଭେଣ୍ଡର ଲକ୍ଷ୍ମୀ ନାରାୟଣ ସାହୁକାର ଫେରାର ଅଛନ୍ତି। ଘଟଣା କୁ ନେଇ ତଦନ୍ତ ଚାଲିଥିବା ନେଇ ଇନ୍ସପେକ୍ଟର ଶ୍ରୀ ସିନ୍ଦୂର କହିଥିବା ବେଳେ ଏହି ଚଢ଼ାଉ ସମୟରେ ତାଙ୍କ ସହ ଅବକାରୀ ମୋବାଇଲ ୟୁନିଟର ଏସ ଆଇ ଦିନେଶ କୁମାର, ଏ ଏସ ଆଇ ସୁରେଶ ଚନ୍ଦ୍ର ମିଶ୍ର, ରୀନା ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଅଭିଯୁକ୍ତ ମାନଙ୍କୁ ଗୁଣୁପୁର ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି।