ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ଯୋଗ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବରଗଡ଼ରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାର ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ନିହାର ମହାନନ୍ଦ, ସନତ ଗଡତିଆ, ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ କଂସ ଦରବାରକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଏକାଧିକ ଘୋଷଣା କରିଛନ୍ତି। ବରଗଡ଼ ଧନୁଯାତ୍ରା ପାଇଁ ଅନୁଦାନ ରାଶି ୧ କୋଟି ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ଅନୁଦାନ ରାଶି ୧୦ ଲକ୍ଷ ଟଙ୍କା ଥିଲା, ଏହାକୁ ୧ କୋଟି ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଏହି ଯାତ୍ରାରେ ଅଂଶଗ୍ରହଣ କରୁଥିବା ସମସ୍ତ ୧୭୦ ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ଦିଆଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସେହିଭଳି ବରଗଡ଼ ସହରରେ ଚିତ୍ତାକର୍ଷକ ସ୍ଥାୟୀ ରାଜମହଲ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୧୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ରାଜମହଲ ନିର୍ମାଣ ହେବ। ଜିରା ନଦୀରେ ୮୦ କୋଟି ଟଙ୍କା ବ୍ୟୟରେ ଆନିକଟ୍ ନିର୍ମାଣ ହେବ ଏବଂ ବରଗଡ଼ କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କଂସ ଦରବାରରେ ଘୋଷଣା କରିଛନ୍ତି।
ତେଣେ ଆଜି ଥିଲା ଯାତ୍ରାର ଦଶମ ଦିନ। କୃଷ୍ଣ-ବଳରାମ ମଥୁରା ନଗରୀ ପରିଭ୍ରମଣ କରୁଛନ୍ତି। ଏହି ଅବସରର ସୁଦାମା ମାଳି ଓ ରଜକଙ୍କ ସହ ସାକ୍ଷାତ ଦୃଶ୍ୟ ମଧ୍ୟ ଅନୁଷ୍ଠିତ ହୋଇଛି। ସେପଟେ ମଥୁରା ନଗରୀରେ କୃଷ୍ଣ-ବଳରାମଙ୍କ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି କଂସ ମହାରାଜ। ଶେଷ ଦିନରେ କଂସ ବଦ୍ଧ ସହ ଏହି ମହା ନାଟକ ଉଦ୍ ଯାପନ ହେବ ।