ବାଗେଶ୍ୱର: ଦେବ ଦୂତ ସାଜିଲେ ଭାରତୀୟ ଯବାନ । ଦୀର୍ଘ ୧୮ ଘଣ୍ଟା ଚାଲି ଚାଲି ଯିବା ପରେ ଦୁଘର୍ଟଣା ସ୍ଥଳରୁ ଜଣେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ଏଭଳି ଏକ ହୃଦୟ ସ୍ପର୍ଶୀ ଘଟଣା ଘଟିଛି ଉତ୍ତରାଖଣ୍ଡ କପକୋଟ ଥାନା ଅନ୍ତର୍ଗତ ପିଣ୍ଡାରୀ ଟ୍ରାକିଂ ଅଞ୍ଚଳରେ । ଆହତ ବ୍ୟକ୍ତି ଜଣକ ହେଲେ ବିଜୟ ସିଂହ ଦାନୁଙ୍କ ପୁଅ ଖୁଶାଲ ସିଂହ ଦାନୁ (୨୪) ।
ଖୁଶାଲ ସିଂହ ଦାନୁ ପିଣ୍ଡାରୀ ଟ୍ରାକିଂ ନିକଟସ୍ଥ ଜ୍ୱାରପାନୀ ନିକଟରେ ୮୦ ମିଟର୍ ଘାଟିକୁ ଖସି ପଡ଼ିଥିଲେ । ଖବର ପାଇବା ପରେ ଏସଡିଆରଏଫର ଉଦ୍ଧାରକାରୀ ଦଳ ପହଁଚିଥିଲେ । କିନ୍ତୁ ଦୁର୍ଘଟଣା ସ୍ଥଳରେ ପହଁଚିବା ଏତେ ସହଜ ନ ଥିଲା । ଯବାନମାନେ ଦୀର୍ଘ ୧୮ ଘଣ୍ଟା ଚାଲି ଚାଲି ପାହାଡ଼ିଆ ଦୁର୍ଗମ ପଥ ଅତିକ୍ରମ କରିଥିଲେ ।
ରାତି ତମାମ ଏହି ଉଦ୍ଧାର ଅଭିଯାନ ଚାଲିଥିଲା । ଖୁସାଲ ଦୀର୍ଘ ୨୦ ଘଣ୍ଟା ହାଡ଼ ଭଙ୍ଗା ଶୀତରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ଏହା ପରେ ଖୁଶାଲଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ । ଯବାନମାନେ ତାଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ଦେବା ପରେ ସେ ତାଙ୍କ ହୃଦ ସ୍ପନ୍ଦନ ବଢ଼ିଥିଲା । ତାଙ୍କୁ ଆମ୍ବୁଲାନ୍ସ ଜରିଆରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।
ପ୍ରଥମେ ଖୁସାଲଙ୍କର ମୃତ୍ୟୁ ହୋଇଛି ବୋଲି ଖବର ପ୍ରସାରିତ ହୋଇଥିଲା । କପକୋଟ ହେଡ୍ କନଷ୍ଟେବଳ କେଦାର ସିଂହ ଏହି ଖବର ଦେଇଥିଲେ । କିନ୍ତୁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଶିଖା ସୁୟାଲ ଗୁଜବକୁ ଖଣ୍ଡନ କରି କହିଥିଲେ ଯେ ସେ ଜୀବିତ ଅଛନ୍ତି ।